Hot Posts

6/recent/ticker-posts

ବରଗଡ଼ରେ ସୁଶାସନ ଦିବସ: ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ପାଳନ

 


ବରଗଡ଼: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ଅବସରରେ ବୁଧବାର ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  

ସମାବେଶରେ ପୂଜାରୀ ଷ୍ଟଲ ପ୍ରଦର୍ଶନୀର ଉଦ୍‌ଘାଟନ କରିବା ସହିତ ବାଜପେୟୀଙ୍କ ଜୀବନୀ, ମାର୍ଗଦର୍ଶନ ଓ ତାଙ୍କ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି, “ବାଜପେୟୀ କେବଳ ଜଣେ ରାଜନୀତିଜ୍ଞ ନୁହେଁ, ସେ ଜଣେ କବି, ସମାଜସେବୀ, ଲେଖକ ଓ ପତ୍ରକାର ମଧ୍ୟ ଥିଲେ। ତାଙ୍କର କୃଷି, ବିଜ୍ଞାନ ଓ ରାଜପଥ ଉନ୍ନତିରେ ଅବଦାନ ଅତୁଳନୀୟ।” ସେ ବାଜପେୟୀ ଓ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବିକଶିତ ଭାରତର ମହାରଣା ଭାବେ ବିବେଚନା କରି, ସମସ୍ତଙ୍କୁ ଜଣେ ଜଣେ ଧର୍ମପଦ ହେବା ପାଇଁ ଆହ୍ବାନ କରିଥିଲେ।  

ସୁଶାସନ ଦିବସର ଆରମ୍ଭରେ ଜିଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଦ୍ୱାରା କବିତା ପାଠ ଆୟୋଜିତ ହୋଇଥିଲା। ଏହା ସହିତ ଜିଲାର ଲୋକ ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ବିଭାଗ ଓ ସଫଳ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା।  ମନ୍ତ୍ରୀ ପୂଜାରୀ ନବନିର୍ମିତ ସର୍କିଟ୍ ହାଉସର ଉଦ୍‌ଘାଟନ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।  ଜିଲାପାଳ ଆଦିତ୍ୟ ଗୋୟାଲ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଓ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।