Hot Posts

6/recent/ticker-posts

ଧାମନଗର ଓ ବନ୍ତରେ ଧାନ କ୍ଷୟକ୍ଷତି ଅନୁଧ୍ୟାନରେ ଉପମୁଖ୍ୟମନ୍ତ୍ରୀ,


ଧାମନଗର/ବନ୍ତ, ୩୦।୧୨: ଭଦ୍ରକ ଜିଲାରେ ଗସ୍ତରେ ଆସି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଧାମନଗର ଓ ବନ୍ତ ବ୍ଲକରେ ଅଦିନିଆ ବର୍ଷାରେ ଧାନ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଅମଳକ୍ଷମ ପାଚିଲା ଧାନ ବର୍ଷାରେ ବହୁତ ପ୍ରଭାବିତ ହୋଇ ଚାଷୀମାନଙ୍କ ପାଇଁ ମହାବିପଦ ହୋଇଯାଇଛି। କ୍ଷେତ ଦେଖି ଚାଷୀମାନେ ନଷ୍ଟ ହୋଇଥିବା ଧାନ ଦେଖାଇ ଦୁଃଖ ଜଣାଇଥିଲେ।  

ଧାମନଗରର ଭଗବାନପୁର, ଜୟକୃଷ୍ଣପୁର, ପଳିକିରି ଓ ଇଛଦା ମୌଜାର ଚାଷଜମିର ବାସ୍ତବ ସ୍ଥିତି ଦେଖିବା ପରେ ଉପମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରି ସରକାର ଚାଷୀମାନଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାର ଆଶ୍ୱାସନ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଖୁବ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବ। ସେହିପରି ଉପମୁଖ୍ୟମନ୍ତ୍ରୀ ବନ୍ତ ବ୍ଲକର ଛୟାଳସିଂହ ପଞ୍ଚାୟତରେ ଚାଷୀମାନଙ୍କ ନଷ୍ଟ ଧାନ ବିଡ଼ା ଦେଖିଥିଲେ।

ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀରୁ ଆରମ୍ଭ କରି ମନ୍ତ୍ରୀ ଓ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ପରିଦର୍ଶନ କରୁଛନ୍ତି। ଚାଷୀ ମାନଙ୍କୁ କୁହାଯାଇଛି ଯେ ସରକାର ଚାଷୀମାନଙ୍କ ଦୁଃଖରେ ସାଥୀ ଓ ଫସଲ କ୍ଷୟକ୍ଷତି ପାଇଁ ସମାଧାନ ଲାଗି କାମ କରୁଛି। ସୋମବାର ସୁଦ୍ଧା ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ। 

ଉପମୁଖ୍ୟମନ୍ତ୍ରୀଙ୍କ ସହ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।