Hot Posts

6/recent/ticker-posts

ଆଳିରେ ଲଗାଣ ବର୍ଷା: ଧାନ ଫସଲ ଉଜାଡ଼ି, ଚାଷୀଙ୍କ ଦୁରବସ୍ଥା ଅନୁଧ୍ୟାନ କଲେ ମନ୍ତ୍ରୀ

କେନ୍ଦ୍ରାପଡ଼ା, ୩୦/୧୨ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଗତ ସପ୍ତାହର ଅଦିନିଆ ଲଗାଣ ବର୍ଷା ଚାଷୀମାନଙ୍କ ପାଇଁ ବିପର୍ଯ୍ୟୟ ଆଣିଛି। ୩୪ ପଞ୍ଚାୟତର ଧାନ ଫସଲ ସମୂଳେ ଉଜାଡ଼ି ଦେଇଛି। କ୍ଷେତରେ ଧାନ ଫସଲ ଗଜା ହୋଇ ଯାଇଥିବା ବେଳେ, ବିଲରେ ଥିବା ଅନକଟା ଧାନ ପାଣିରେ ଭାସୁଛି। ମୃଦା ଉଜାଡ଼ା ଦେଖି ନିରୁପାୟ ଚାଷୀ ମୁଣ୍ଡ କୋଡୁଛନ୍ତି।  

ଗତକାଲି ଅପରାହ୍ନରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳି ବ୍ଲକର ଉଜାଡ଼ା ଫସଲ ଅବସ୍ଥା ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଦିଗଛିଆ ଭେଡା, ମଧୁବନ, ଗୋବିନ୍ଦପୁର ଆଦି ଅଞ୍ଚଳରେ ପହଞ୍ଚି ଧାନକ୍ଷେତ ଦେଖି ଥିବା ବେଳେ କଳସପୁର, ଭୂଇଁପୁର, ସାନମଙ୍ଗ ଓ ଚଣ୍ଡିଆଗଡି ଗ୍ରାମର ଚାଷୀମାନେ ତାଙ୍କୁ ବେଢ଼ି ଜଣାଇଥିଲେ ତାଙ୍କ ଦୁରବସ୍ଥା।  

ଧାନ ଉଜାଡ଼ି ଦେଖି ଭୋଭୋ କାନ୍ଦିଥିବା ଚାଷୀମାନେ ମନ୍ତ୍ରୀଙ୍କୁ କହିଛନ୍ତି, "ଆମ ଆହାର ମୁହଁରେ ପାହାର ହୋଇଗଲା। ଏହାକୁ ଠିକ କରନ୍ତୁ।" ପାଣିରେ ଭାସୁଥିବା ଧାନ ଫସଲ ଓ ଖଳାରେ ପଡ଼ିଥିବା ଧାନଗଜା ଦେଖାଇ ତାଙ୍କ ଦୁଃଖ ମନ୍ତ୍ରୀଙ୍କୁ ବିବରଣା କରିଛନ୍ତି।  

ଫସଲ ଓ ଚାଷୀଙ୍କ ଦୁରବସ୍ଥା ଦେଖି, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୁରନ୍ତ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।  ଏହି ଅବସ୍ଥା ଅନୁଧ୍ୟାନରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।