ଚମ୍ପୁଆ, ୩୦/୧୨: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ଗ୍ରାମରେ ଏକ ଦନ୍ତା ହାତୀ ଦ୍ୱାରା ଏକ ମାରାତ୍ମକ ଆକ୍ରମଣ ଘଟିଛି। ଏହି ଘଟଣାରେ ଗ୍ରାମବାସୀ ରଥ ମୁଣ୍ଡାଙ୍କ ଜୀବନ ହାରାଇଛନ୍ତି। ରାତି ପ୍ରାୟ ୨ଟା ବେଳେ ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ବାହାରିଥିବା ସମୟରେ ତାଙ୍କ ଘର ଆଗରେ ଥିବା ଏକ ମଦକ୍ତ ହାତୀ ଆକ୍ରମଣ କରି ତାଙ୍କୁ ପାଦ ତଳେ ଦଳି ମାରିଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ମିଳିଲାପରେ ଚମ୍ପୁଆ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି।
ବନ ବିଭାଗ ସୂଚନା ଅନୁସାରେ, ଏହି ହାତୀ ନୁଣଗୋଠାଣି ଗାଁ ଜଙ୍ଗଲରେ ଥିବା ୩୨ ଟିକିଆ ହାତୀପଲରୁ ବିଚ୍ଛିନ୍ନ ହୋଇ ଗ୍ରାମ ଅଞ୍ଚଳରେ ଆସି ଉନ୍ମତ୍ତ କାର୍ଯ୍ୟକଳାପ ଚଲାଇଥିଲା। ଏହା ପରେ ଗ୍ରାମବାସୀମାନେ ଜୀବନ ନେଇ ଭୟଭୀତ ହୋଇପଡ଼ିଛନ୍ତି।
ଦନ୍ତା ହାତୀ ଦ୍ୱାରା ହୋଇଥିବା ଏହି ଆକ୍ରମଣ କେବଳ ଗ୍ରାମବାସୀଙ୍କର ସୁରକ୍ଷାକୁ ନୁହେଁ, ତାଙ୍କ ଜୀବନ ଯାପନରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ଏହା ନେଇ ପ୍ରଶାସନ ଆବଶ୍ୟକ କାର୍ଯ୍ୟକଳାପ ଜାରି ରଖିଛି।