ଭୁବନେଶ୍ୱର, ୨୭ /୧୨: ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ ଅଛନ୍ତି। ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହାର ସଂଖ୍ୟା ଲକ୍ଷ ରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଥିବା ବିଷୟ ସମ୍ପର୍କରେ ମନ୍ତ୍ରୀ ଅବଗତ କରାଇଥିଲେ। ଭୂତ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛି। ଏହା ମାଧ୍ୟମରେ କେବଳ ପ୍ରକୃତ ହିତାଧିକାରୀଙ୍କୁ ସୁବିଧା ଯୋଗାଇବା ନିଶ୍ଚିତ କରାଯିବ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏହି ପ୍ରକ୍ରିୟା ଭୂତ ରାସନକାର୍ଡଧାରୀଙ୍କୁ ମାତ୍ର ନୁହେଁ, ଭୂତ ଚାଷୀଙ୍କୁ ମଧ୍ୟ ଚିହ୍ନଟ କରିବାରେ ସାହାଯ୍ୟ କରିବ। କେତେଜଣ ପ୍ରକୃତ ଚାଷୀ ଅଛନ୍ତି ଏବଂ କେତେ ଜଣ ମିଥ୍ୟା ତଥ୍ୟ ଦେଇ ଧାନ ବିକ୍ରୟ କରୁଛନ୍ତି, ତାହା ଚିହ୍ନଟ କରିବା ପାଇଁ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ସରକାର କହିଛି ଯେ, ମିଥ୍ୟା ତଥ୍ୟ ଦେଇ ସୁବିଧା ଉପଭୋଗ କରୁଥିବା ଚାଷୀମାନଙ୍କୁ ଧରିବା ପାଇଁ କଠୋର ପଦକ୍ଷେପ ନିଆଯିବ। ଏହି ପଦକ୍ଷେପ ଚାଷୀ ସମ୍ପର୍କିତ ସ୍ୱଚ୍ଛତା ଏବଂ ନିୟମ ରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।