ଭୁବନେଶ୍ୱର, ୨୮/୧୨:ରାଜ୍ୟର ଚାଷୀମାନଙ୍କ ପାଇଁ ବୃହତ୍ ସମ୍ବଳ ଆସିଛି। ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଫସଲ କ୍ଷତି ନେଇ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ପୂର୍ଣ୍ଣ ଆକଳନ କରାଯିବ ଏବଂ ଡିବିଟି ଜରିଆରେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବୀମା କରିଥିବା ଓ ନ କରିଥିବା, ଦୁଇ ପ୍ରକାର ଚାଷୀମାନେ ଏହି କ୍ଷତିପୂରଣର ଲାଭ ଉଠାଇପାରିବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଫସଲ କ୍ଷତି ପାଇଁ ଆବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଆବାହନ କରି ଆସନ୍ତାକାଲି ଅର୍ଥାତ୍ ରବିବାର ସୁଦ୍ଧା ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଚାଷୀମାନେ ଟୋଲ୍ ଫ୍ରି ନମ୍ବର ୧୪୪୪୭ରେ ଫୋନ୍ କରି ଏହାର ସବୁ ତଥ୍ୟ ମିଳାଇପାରିବେ।
ଏହି ବୈଠକରେ କୃଷିମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ, ସମବାୟ ମନ୍ତ୍ରୀ କୃଷ୍ଣପାତ୍ର, ଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଉପସ୍ଥିତ ରହିଥିଲେ। ଚାଷୀଙ୍କ ସମସ୍ୟା ନିରାକରଣ ନେଇ ନିଷ୍ପତ୍ତି ଗ୍ରହଣରେ ସରକାର ଗୁରୁତ୍ୱ ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଏକ ନୂଆ ଆଶା ସୃଷ୍ଟି ହୋଇଛି।