Hot Posts

6/recent/ticker-posts

ଝାରସୁଗୁଡା ପୌରପାଳିକାରେ ମଶାତେଲ ଦୁର୍ନୀତି ଘଟଣା, ୪ ଅଭିଯୁକ୍ତ ଗିରଫ


ଝାରସୁଗୁଡା, ୧୪ ଡିସେମ୍ବର: ଝାରସୁଗୁଡା ପୌରପାଳିକାରେ ଘଟିଥିବା ମଶାତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ସହ ୩ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ପୌରପାଳିକାର ପରିମଳ ସୁପରଭାଇଜର ବିଶ୍ବରଞ୍ଜନ ସାହୁ, ପରିମଳ ନିରୀକ୍ଷକ ବିକାଶ ପଶାୟତ ଏବଂ ଫ୍ୟୁଜନ୍‌ ଗ୍ରୁପ୍‌ ମାଲିକ ଆଶୁତୋଷ ଶର୍ମା।  

ଆର୍ଥିକ ବର୍ଷ ୨୦୨୨-୨୩ରେ ଝାରସୁଗୁଡା ପୌରପାଳିକା ଦ୍ୱାରା ମଶାତେଲ ବ୍ୟବସ୍ଥାପନ ପାଇଁ ଏକ ଟେଣ୍ଡର ଜାରି ହୋଇଥିଲା। ଏହି ଟେଣ୍ଡର କେବଳ ୩ଟି ଛୋଟ ଖବରକାଗଜରେ ପ୍ରକାଶିତ ହୋଇଥିଲା, ଏବଂ ତାହାକୁ ଚଳାକୀରେ ଫ୍ୟୁଜନ୍‌ ଗ୍ରୁପ୍‌କୁ ଦିଆଯାଇଥିଲା। ଏହାର ଦର ଲିଟର ପିଛା ୭୪୦ ଟଙ୍କା ରଖାଯାଇଥିଲା, ଯେଉଁଥିରୁ ସରକାରୀ ଦର ଠାରୁ ଅଧିକ ୬୬୦ ଟଙ୍କା ପ୍ରତି ଲିଟର ଅତ୍ୟଧିକ ରହିଥିଲା।  

ପୌରପାଳିକା ଫ୍ୟୁଜନ୍‌ ଗ୍ରୁପ୍‌ ପକ୍ଷରୁ ୯୫୦୦ ଲିଟର ମଶାତେଲ କିଣିଥିବା ବେଳେ ମୋଟ ଖର୍ଚ୍ଚ ହେଲା ୬୮ ଲକ୍ଷ ୮୯ ହଜାର ୪୦୦ ଟଙ୍କା। ଏହି ଅର୍ବାଚୀନ ଚାଲାକୀ ଫଳରେ ସରକାରୀ ପାଣ୍ଠିରୁ ୬୧ ଲକ୍ଷ ୪୪ ହଜାର ୬୦୦ ଟଙ୍କାର ଅତ୍ୟଧିକ ଆର୍ଥିକ ଛତି ଘଟିଛି।  

ସକାଳ ୧୦ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ମାରାଥନ୍‌ ପଚରାଉଚରା କରିବା ପରେ ସେମାନଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣାଯାଇଥିଲା। ଭିଜିଲାନ୍ସ ଡିଏସ୍‌ପି କଳାବତୀ ବାଗଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଦଳ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଏହାକୁ ଆଗେଇ ନେଇଛି।