କଟକ, ୧୨/୧୨:-କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ଜିଲିଣ୍ଡା ଜାନିସାହିରେ ବଧୂ ହତ୍ୟା ଅଭିଯୋଗ ଆସିଛି। ୨୧ ବର୍ଷୀୟ ସୀମା ନାଏକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେବାରେ ସ୍ଥାନୀୟ ଅଞ୍ଚଳ ଅସ୍ଥିର ହୋଇଯାଇଛି।
ନରସିଂହପୁର ବ୍ଲକର ଯୋଡୁମୁ ଗ୍ରାମର ସିଧେଶ୍ୱର ନାଏକଙ୍କ ଝିଅ ସୀମା ତିନି ବର୍ଷ ପୂର୍ବରୁ ଜାନିସାହିର କୁଶ ନାଏକଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଶାଶୁଘର ତରଫରୁ ଅଧିକ ଯୌତୁକ ଦାବି କରି ସୀମାଙ୍କୁ ନିର୍ଯାତନା ଦେବାର ଅଭିଯୋଗ ହେଉଛି।
ବୁଧବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ସୀମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୀମାଙ୍କ ବାପଘର ପକ୍ଷରୁ ମୃତ୍ୟୁକୁ ବଧୂ ହତ୍ୟା ବୋଲି ଅଭିଯୋଗ କରାଯାଇଛି। ଘଟଣାକୁ ନେଇ ସୀମାଙ୍କ ପିତା ସିଧେଶ୍ୱର ନାଏକ ଯୋଡୁମୁ ଥାନାରେ ମାମଲା ରୁଜୁ କରିଛନ୍ତି।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟେମ ପାଇଁ ପଠାଇଛି। ଘଟଣାର ସଂପୂର୍ଣ୍ଣ ତଦନ୍ତ ଜାରି ରହିଛି ଏବଂ ଶାଶୁଘରର ସଦସ୍ୟଙ୍କୁ ପଚରାଉଥିବା ସୂଚନା ମିଳିଛି।