କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଉପରେ ହୋଇଥିବା ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ଼ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାର ଦଣ୍ଡ ଦେଇଛନ୍ତି। ଜରିମାନା ଦେବାରେ ବିଫଳ ହେଲେ, ଅଭିଯୁକ୍ତଙ୍କୁ ଅଧିକ ଏକ ବର୍ଷ ସଜା ଭୋଗିବାକୁ ପଡିବ।
୨୦୧୫ରେ କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମର ୨୧ ବର୍ଷୀୟ ଦିଲ୍ଲୀପ କୁମାର ମହାକୁଡ଼ ଜଣେ ୧୬ ବର୍ଷୀୟ ଆଦିବାସୀ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରି ଗର୍ଭବତୀ କରିଥିଲେ। ଏହି ଘଟଣା ଜାଣିବା ପରେ, ପୀଡ଼ିତାଙ୍କ ପରିବାର ଲୋକ ଅଭିଯୁକ୍ତଙ୍କ ଘରେ ତାଙ୍କୁ ଛାଡ଼ିବାକୁ ଯାଇଥିଲେ, କିନ୍ତୁ ଅଭିଯୁକ୍ତଙ୍କ କକା ଗୋବିନ୍ଦ ମହାକୁଡ଼ ମାରପିଟ କରି ଏବଂ ଧମକ ଦେଇ ତାଙ୍କୁ ବାହାର କରିଦେଇଥିଲେ।
ପୀଡ଼ିତା ପରେ କାଞ୍ଜିପାଣି ଥାନାରେ ଅଭିଯୋଗ ଦାଖଲ କରିଥିଲେ,କାଞ୍ଜିପାଣି ଥାନା କେସ୍ ନଂ ୧୩/୧୫ ରେ ମୋକଦ୍ଦମା ରୁଜୁ କରି ଦଫା ୩୨୩/୫୦୬ରେ ଆସାମୀ ଗୋବିନ୍ଦ ଓ ୩୨୩/୫୦୬/୩୭୬(୨)(i) ଏବଂ ୬ ପକ୍ସୋ ଓ ଏସ୍ସି ଆଣ୍ଡ ଏସ୍ଟି ପିଏ ଆକ୍ଟ ଦଫା ୩(୨) (v) ରେ ଅଭିଯୁକ୍ତଙ୍କୁ ୨୯ା୪ା୨୦୧୫ ରେ କୋର୍ଟ ଚାଲାଣ କରିଥିଲେ । ଯାହା ପରେ ମାମଲା ରୁଜୁ କରାଯାଇଥିଲା। ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପଙ୍କୁ ଜେଲ୍ ହେଲା। କିନ୍ତୁ ଗୋବିନ୍ଦଙ୍କୁ ପ୍ରମାଣ ଅଭାବରେ ଖଲାସ କରାଯାଇଛି।
୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ସବୁ ପ୍ରମାଣ ଯାଞ୍ଚ କରିବା ପରେ, ଫାଷ୍ଟ ଟ୍ରାକ୍ କୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କ ଆଜୀବନ ସଜା ନିର୍ଦ୍ଦେଶ କରିଛି। ଅତିରିକ୍ତ ଭାବରେ, ଜିଲା ଆଇନ ସେବା ପ୍ରାଧିକରଣକୁ ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ସୁପାରିସ କରାଯାଇଛି।
ଏହି ମାମଲାରେ ସରକାର ପକ୍ଷରୁ ପିପି ଜ୍ଞାନେନ୍ଦ୍ର ନାଥ ଜେନା ଅବିରତ ପ୍ରୟାସ ଜନକ ସଫଳତା ଲାଭ କରିଛନ୍ତି।
ଏହି ରାୟ ଘରୋଇ ମାମଲାରେ ନ୍ୟାୟ ପ୍ରାପ୍ତିର ଉଦାହରଣ ଏବଂ ସମାଜରେ ଏକ ଶିକ୍ଷା ଦେବାରେ ସାହାଯ୍ୟ କରିବ।