ଭୁବନେଶ୍ୱର, ୮ ଡିସେମ୍ବର:- ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଚାଲୁଥିବା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ରତ ପାଚିକାଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଅନୁସାରେ, ଚାକିରି କାଳରେ କୌଣସି ପାଚିକାଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ବାବଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପୋଷଣ ସ୍ଥିତି ସୁଧାର ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା କାର୍ଯ୍ୟକାରୀ ହୋଇଥାଏ। ଏହି ଯୋଜନାରେ ଲକ୍ଷ୍ୟ ସାଧନ ପାଇଁ ନିୟୋଜିତ ପାଚିକାମାନେ ପାରିଶ୍ରମିକ ପାଉଛନ୍ତି। ସେମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଲମ୍ବିଥିବା ପ୍ରସ୍ତାବର ଫଳରୂପରେ ଏହି ନୂଆ ନିଷ୍ପତ୍ତି ଆସିଛି।
ସହାୟତା ପାଇବା ପାଇଁ ଆବଶ୍ୟକ ତଥ୍ୟ ଏବଂ ପ୍ରମାଣପତ୍ର:
ସରକାର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ସହାୟତା ପାଇବାକୁ ନିମ୍ନଲିଖିତ ପ୍ରମାଣପତ୍ର ଦରକାର:
1. ମୃତ୍ୟୁ ପ୍ରମାଣପତ୍ର (ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ମୃତ ପାଚିକାଙ୍କ ଜାରି)
2. ଉତ୍ତରାଧିକାରୀ ପ୍ରମାଣପତ୍ର (ତହସିଲଦାରଙ୍କ ଜାରିକୃତ)
3. ମୃତ୍ୟୁ ହୋଇଥିବା ପାଚିକା ଏବଂ ଦାବିଦାରଙ୍କ ଆଧାର କାର୍ଡ
4. ଦାବିଦାରଙ୍କ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା
5. ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ସୁପାରିସ।
ଏହି ସମସ୍ତ ତଥ୍ୟ ଉପସ୍ଥାପନା ପରେ ସହାୟତା ରାଶି ସିଧାସଳଖ ଦାବିଦାରଙ୍କ ବ୍ୟାଙ୍କ ଖାତାରେ ପଠାଯିବ। ଏହି ପଦକ୍ଷେପରୁ ପାଚିକାମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ଆଶା କରାଯାଉଛି।