Hot Posts

6/recent/ticker-posts

ନବରଙ୍ଗପୁରରେ ଏଟିଏମ୍ ଲୁଟ୍ ଘଟଣା: ୭ ବର୍ଷ କାରାଦଣ୍ଡ ପରେ ଦୁଇ ଅଭିଯୁକ୍ତ ଚମ୍ପଟ




ନବରଙ୍ଗପୁର:୩/୧୨ : ଜିଲ୍ଲାର ବହୁ ଚର୍ଚ୍ଚିତ ଏଟିଏମ୍ ଲୁଟ୍ ଘଟଣାରେ ଆଜି କୋର୍ଟ ତରଫରୁ ରାୟ ଘୋଷିତ ହୋଇଛି। ଶୁଣାଣି ଶେଷେ କୋର୍ଟରେ ଉପସ୍ଥିତ ଦୁଇ ଅଭିଯୁକ୍ତ—ସକିଲ ଖାନ ଏବଂ ସାହାରୁଖ ଖାନ, ସଜା ଶୁଣିବା ପରେ ଚମ୍ପଟ ମାରିଛନ୍ତି। ଏହାକୁ ନେଇ ନବରଙ୍ଗପୁର ପୁଲିସ ତତ୍କ୍ଷଣାତ୍ ସନ୍ଧାନ ଆରମ୍ଭ କରିଛି। 

ଚଳିତବର୍ଷ ଜାନୁଆରି ୩୧ ରାତିରେ ଏସ୍‌ବିଆଇ ଏଟିଏମ୍ ଲୁଟ ହୋଇଥିଲା। ଅଭିଯୁକ୍ତ ଏଟିଏମ୍ ଲୁଟ କରି ତାହାକୁ ପୋଡ଼ି ଦେଇଥିଲେ। ପୁଲିସ ଗୁରୁତ୍ୱ ସହ କାର୍ଯ୍ୟ କରି ତାତ୍କାଳିକ ଭାବେ ଡାବୁଗାଁ ଜଙ୍ଗଲରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଜାମିନରେ ରହିଥିଲେ ଯେଉଁଥିରୁ ଆଜି ସଜା ଶୁଣିବାକୁ ଏସ୍‌ଡିଜେଏମ୍ କୋର୍ଟକୁ ଆସିଥିଲେ।  

ସହକାରୀ ଦୌରା ଜଜ୍‌ ସୀମା ତ୍ରିପାଠୀ ଅଭିଯୁକ୍ତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା ନିମନ୍ତେ ଆଦେଶ ଜାରି କରିଛନ୍ତି। ଜରିମାନା ଅନାଦେୟ ହେଲେ ୪ ମାସର ଅତିରିକ୍ତ  ଦଣ୍ଡ ଦିଆଯିବ। ଏହି ରାୟରେ ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରଭୂତ ହୋଇଛି। 

ସଜା ଶୁଣିବା ପରେ, ସକିଲ ଖାନ ଓ ସାହାରୁଖ ଖାନ କେଉଁ ଆଡ଼େ ଚକ୍‌ମା ଦେଇ ଚମ୍ପଟ ମାରିଛନ୍ତି। ଏହି ଘଟଣା ପରେ କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନବରଙ୍ଗପୁର ପୁଲିସ ତତ୍କ୍ଷଣାତ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏକ ବିଶେଷ ଟିମ୍ ଗଠନ କରି ସନ୍ଧାନ କାର୍ଯ୍ୟ ଜାରି ରହିଛି।  

ଏଯାଏଁ ଅଭିଯୁକ୍ତଙ୍କ ଚମ୍ପଟ ପଛରେ କୌଣସି ଆଭ୍ୟନ୍ତରୀଣ ସଂଯୋଗ ଅଛି କି ନାହିଁ ବୋଲି ତଦନ୍ତ ଚାଲିଛି। ଏହି ଘଟଣା ରାଜ୍ୟରେ ପୁଲିସ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।