ବରଗଡ଼: ଅମ୍ବାଭୋନା ବ୍ଲକର ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ସୋମବାର ସକାଳୁ ତୀବ୍ର ଆନ୍ଦୋଳନରେ ନାମିଛନ୍ତି। ୩ ଦଫା ଦାବିର ଜୋରଦାର ସମର୍ଥନରେ ସେମାନେ ନିଜ ପରିବାର ସହିତ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥକୁ ଅବରୋଧ କରିଥିଲେ। ଏହାର ପରିଣାମରେ ବରଗଡ଼-ବଲାଙ୍ଗୀର ଓ ବରଗଡ଼-ପଦ୍ମପୁର ରାସ୍ତାରେ ଯାନଚଳାଚଳ ଗୁରୁତର ପ୍ରଭାବିତ ହୋଇଛି।
ଠିକା ଶ୍ରମିକମାନଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା: ଖଣିର ଲିଜ୍ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା। ଯଦି ଖଣି କାର୍ଯ୍ୟକ୍ଷମ ନ ହୁଏ, ତେବେ ଲିଜ୍ ଅବଧି ଯାବତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ଦେବା। ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଦରମା ବକେୟା ଅଛି, ତାହାକୁ ଶୀଘ୍ର ପ୍ରଦାନ କରିବା।
ଅନ୍ୟ ସ୍ଥାନରେ ଯାନ ଚଳାଚଳ ଜାରି ରଖିବାକୁ ପୋଲିସ ଏବଂ ପ୍ରଶାସନ ତତ୍ପର ହୋଇଛି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପ୍ରାୟାସ ଜାରି ରଖିଛି।