ଭବାନୀପାଟଣା, ୧୪/୧୨:- ଜାନୁଆରୀ ୨୨ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେବାକୁ ଜାଉଛନ୍ତି ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ରୀ ଏବଂ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଶିବାନୀ ବାଗ। ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ଏହାରେ ଉପସ୍ଥିତ ରହିବେ।
ଶିବାନୀ ପ୍ରଥମେ ମହାବିଦ୍ୟାଳୟ ସ୍ତରରେ ଚୟନ ହେବା ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ଚୟନିତ ହୋଇଥିଲେ। ଏହା ପରେ ସେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଅଂଶ ନେଇ ସଫଳତା ପ୍ରାପ୍ତ କରିଥିଲେ। ଏହି ସଫଳତା ସହ ଗୌହାଟିରେ ଅନୁଷ୍ଠିତ ପୂର୍ବାଞ୍ଚଳ ଚୟନ ଶିବିରରେ ସେ ମାନ୍ୟତା ଲାଭ କରିଥିଲେ। ଏହା ଅନୁଗାମୀ ଭାବେ, ସେ ଜାତୀୟ ସ୍ତରରେ ଚୟନ ହୋଇ ଆସାନ୍ତା ଜାନୁଆରୀ ୧ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ଶିବିରରେ ଯୋଗଦେବେ।
ଶିବାନୀ ସହିତ ସର୍ବମୋଟ ୮ଜଣ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସମସ୍ତ ସ୍ବେଚ୍ଛାସେବୀ ଜାନୁଆରୀ ୧ରୁ ଦିଲ୍ଲୀରେ ଅଭ୍ୟାସ ଶିବିରରେ ଅଂଶ ଗ୍ରହଣ କରିବା ସହିତ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଉପସ୍ଥିତ ହେବେ। ଏହି ଶିବିରରେ ମୋଟ ୨୦୦ଜଣ ସର୍ବଭାରତୀୟ ସ୍ତରୀୟ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଅଭ୍ୟାସରେ ଯୋଗଦେବେ।
ଶିବାନୀଙ୍କ ସଫଳତା ପାଇଁ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ନାୟକ ଓ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋର ସଂଯୋଜକ ଚିତ୍ତରଞ୍ଜନ ଖୁଣ୍ଟିଆ ସହିତ ଅନ୍ୟାନ୍ୟ ଶୁଭେଚ୍ଛା ଜଣାଇଥିଲେ।