ବାଲିଗୁଡ଼ା, ୧୫/୧୨:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡି ଅଞ୍ଚଳର ଏକ କୂଅରୁ ରବିବାର ସକାଳେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ମହିଳା କଟପଡିର ବୀରେନ୍ଦ୍ର ମଳିକଙ୍କ ସ୍ତ୍ରୀ ଶାନ୍ତିଲତା ମଳିକ ବୋଲି ପରିଚୟ ମିଳିଛି।
ଶାନ୍ତିଲତା ମଳିକ ତିନି ଦିନ ତଳେ ନିଜ ବାପଘରକୁ ଯିବେ ବୋଲି କହି ଘରୁ ବାହାରିଥିଲେ। କିନ୍ତୁ ଏହା ପରେ ସେ ଫେରି ନଥିବାରୁ ପରିବାର ଲୋକେ ସେ ଗାଁରେ ଅଛନ୍ତି ବୋଲି ଭାବି ଚୁପ ରହିଥିଲେ। ରବିବାର ସକାଳେ ଏକ ଘଟଣା ସ୍ଥଳରେ କୂଅର ପାଣି ଗାଧୋଇବାକୁ ଗଲାବେଳେ କିଛି ଲୋକ ମୃତ ଦେହ ଦେଖି ସମ୍ପର୍କିତ ତଥ୍ୟ ପୋଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବାଲିଗୁଡ଼ା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣା ସଂପର୍କରେ ରହସ୍ୟ ରହିଥିବାକୁ ନଜରରେ ରଖି, ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।