ବରଗଡ଼, ୨୪/୧୨: ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଦ୍ଦିଷ୍ଟ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଖୋଳାଯାଇଥିବା ଗଭୀର ନଳକୂପଗୁଡ଼ିକ ବିଦ୍ୟୁତ ସଂଯୋଗ ନ ମିଳିବାକୁ ନେଇ ଚାଷୀମାନେ ଆସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସୋହେଲା ବ୍ଲକର ତବଡ଼ା ପଞ୍ଚାୟତର ବନାବିରା ଗ୍ରାମର ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରି ନିବେଦନ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଗ୍ରାମର ଚାଷୀମାନେ ନିଜ ଜମିରେ ଗଭୀର ନଳକୂପ ଖନନ କରିଥିଲେ। ଗଭୀର ନଳକୂପ ସମ୍ପୂର୍ଣ୍ଣ ହୋଇ ଚାଷ କାର୍ଯ୍ୟ ହେବା ଆଶାରେ ଥିଲେ ଚାଷୀମାନେ। କିନ୍ତୁ ବିଦ୍ୟୁତ ସଂଯୋଗ ନ ହେବାରୁ ସେମାନଙ୍କ ଚାଷଜମି ପଡ଼ିଆ ରହିଛି। ବାରମ୍ବାର ଅଧିକାରୀଙ୍କୁ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନ ନିଆଯାଇଥିବାକୁ ନେଇ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରମୁଖ ଚାଷୀମାନଙ୍କ ମଧ୍ୟରେ ଫକୀର ପ୍ରଧାନ, ସୁରପତି ବିଶି, ଘନଶ୍ୟାମ ମେହେର ଓ ଅନ୍ୟମାନେ ଦାବି କରିଛନ୍ତି ଯେ ତୁରନ୍ତ ଗଭୀର ନଳକୂପଗୁଡ଼ିକୁ ବିଦ୍ୟୁତ ସଂଯୋଗ ଦେଇ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଆବଶ୍ୟକ।
ଏ ଘଟଣାର ସମାଧାନ ପାଇଁ ଚାଷୀମାନେ ଏବେ ମାନ୍ୟତାପ୍ରାପ୍ତ ଅଧିକାରୀଙ୍କୁ ଦବାବ ଦେବାର ପ୍ରୟାସ ଜାରି ରଖିଛନ୍ତି।