ଥୁଆମୂଳ ରାମପୁର, ୪ ଡିସେମ୍ବର: କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀର ଜଣେ ନବବିବାହିତା ନାରୀ ତାଙ୍କୁ ସ୍ବାମୀ ଓ ପରିବାରର ସଦସ୍ୟମାନଙ୍କ ଦ୍ୱାରା ମାନସିକ, ଶାରୀରିକ ଏବଂ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।
ଥାନା ସୂଚନା ଅନୁସାରେ, ଜଗନ୍ନାଥ କଲୋନୀ ପଡ଼ାର କୁମର ନାଏକଙ୍କ ଝିଅ କସ୍ତୁରୀ ନାଏକ (୨୬) ୬ ମାସ ପୂର୍ବରୁ କାଶୀପୁର ଥାନା ଅନ୍ତର୍ଗତ ପର୍ଲାଜୋର ଗ୍ରାମର ଚିନା ନାଏକଙ୍କ ପୁଅ ନକୁଳ ନାଏକଙ୍କ ସହ ପ୍ରେମ ବିବାହ କରିଥିଲେ। ଆରମ୍ଭରେ ତାଙ୍କ ଦାମ୍ପତ୍ୟ ଜୀବନ ସୁନ୍ଦର ଭାବରେ ଅତିବାହିତ ହେବାର ସୂଚନା ମିଳିଛି। ତଥାପି, ବିବାହ ପରେ କିଛି ମାସ ଅନ୍ତରେ ଘରେ ଦାମ୍ପତ୍ୟ କଳହ ଚାଲିଥିବାର ଅଭିଯୋଗ ଜଣାଯାଇଛି।
କସ୍ତୁରୀଙ୍କ ଲିଖିତ ଅଭିଯୋଗରେ ତାଙ୍କୁ ପ୍ରଥମେ ସ୍ବାମୀ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଇଥିବା, ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ସହିତ ଘରୁ ବାହାର କରିଦିଆଯାଇଥିବା ଘଟଣାର ବିବରଣୀ ମିଳିଛି। ଗତ ୧୭ ତାରିଖ ସନ୍ଧ୍ୟାରେ, ସ୍ବାମୀଙ୍କ ସାନ ଭାଇ ତାଙ୍କ ଉପରେ ନିର୍ଯାତନା କରି ଦାଣ୍ଡରେ ଛାଡ଼ି ଚାଲି ଯାଇଥିଲେ , ଗରିବ ଅସହାୟ କସ୍ତୁରୀ ନ୍ୟାୟ ପାଇଁ ଆଇନ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
କସ୍ତୁରୀଙ୍କ ଅଭିଯୋଗ ଭିତ୍ତିକରେ, ଥୁଆମୂଳ ରାମପୁର ଥାନାରେ କେସ୍ ନଂ ୧୯୧/୨୪ ଅନୁସାରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଅଧିକାରୀ ଏସ୍ଆଇ ରଶ୍ମିରଞ୍ଜନ ବାଗ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ନିମନ୍ତେ ସମଗ୍ର ପରିବାର ପୃଷ୍ଠଭୂମି ଓ ଘଟଣାର ସତ୍ୟତା ଖୋଜାଯାଇବାକୁ ପ୍ରଶାସନ ପ୍ରସ୍ତୁତ।