Hot Posts

6/recent/ticker-posts

ଅର୍ଥ ବିନା ପାଠପଢା ର ଅନର୍ଥ, ୩ ଅନାଥ ଅସହାୟ ଅବସ୍ଥା ରେ


ଭବାନୀପାଟଣା, ୩ା୧:କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତର କରାଟିକିଲି ଗ୍ରାମରେ ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯) ବେସାହାରା ହୋଇପଡିଛନ୍ତି। ତାଙ୍କ ବାପା ରଜ ମାଝୀଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା, ଏବଂ ଗତ ୨୫ ତାରିଖରେ ମା’ ଗୋମତୀ ମାଝୀଙ୍କ ବିୟୋଗ ଘଟିଛି। ମା’ବାପା ନଥିବାରୁ ଏବେ ସେମାନେ କାହା ସହ ରହିବେ ଏବଂ କିପରି ଜୀବନ ଚାଲାଇବେ, ଏହାକୁ ନେଇ ଗାଁରେ ଚିନ୍ତା ପରିବ୍ୟାପ୍ତ।

ପାୟଲ ବାଦିଲୀ କିସ ଆବାସିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି, ଯେଉଁଠି ସେ ସରକାରୀ ସହାୟତାରେ ଶିକ୍ଷା ଅବିରତ ରଖିଛନ୍ତି। ବନିତା ଗାଁର ପ୍ରାଥମିକ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ତଥାପି, ସେମାନଙ୍କର ଭବିଷ୍ୟତ କେତେ ଅନିଶ୍ଚିତ।  

ଏହି ଗାଁର ଜୋଶୀତା ମାଝୀ (୧୫) ମଧ୍ୟ ମାତ୍ରିକ ପରେ ଅର୍ଥନୈତିକ ସମସ୍ୟା ହେତୁ ଶିକ୍ଷା ଛାଡିଛନ୍ତି। ସେ କହିଛନ୍ତି ଯେ ସରକାରୀ ସହାୟତା ମିଳିଲେ ଆସନ୍ତ ବର୍ଷରୁ ଆଉଥରେ ଶିକ୍ଷା ଜାରି ରଖିବେ।  

ଏହି ଅନାଥ ଦୁଇ ଭଉଣୀ ଓ ଜୋଶୀତାଙ୍କ ପାଇଁ ସରକାରୀ ସହାୟତା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ସ୍ବେଚ୍ଛାସେବୀ ଯଶୋବନ୍ତ ରଣା, ସ୍ଥାନୀୟ ଶିକ୍ଷକ ଗୋବର୍ଦ୍ଧନ ମାଝୀ ଓ ସିଆର୍‌ପି ଦେବକୀ ଗଉଡ଼। ସେମାନଙ୍କ ମତାନୁସାରେ, ଯଦି ସରକାରୀ ସହଯୋଗ ଦ୍ୱାରା ଏହି ଭଉଣୀଙ୍କୁ ସମର୍ଥନ ମିଳେ, ସେମାନେ ଏବଂ ଜୋଶୀତା ଏହାର ଶୁଭ ପରିଣାମ ଭୋଗ କରି ପଢ଼ି ଆଗକୁ ଆସିବେ।  

ଗ୍ରାମବାସୀଙ୍କ ଦାବି, ଏହି ଅନାଥମାନଙ୍କୁ ସମ୍ବଲ ଦେବା ପାଇଁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇବା ଆବଶ୍ୟକ।