ଦିଗପହଣ୍ଡି, ୨୫/୧ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ନୂଆ ବଳଧିଆ ଗ୍ରାମର ସଞ୍ଜୁ କୁମାରୀ ପ୍ରଧାନ ଘରେଳୁ ହିଂସା ଓ ଯୌତୁକ ଦାବିର ଶିକାର ହୋଇଛନ୍ତି। ସଞ୍ଜୁଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ କୁନା ପ୍ରଧାନ ମଦ ପିଇ ନିସ୍ତୁକ ମାଡ଼ ମାରିବା ଏବଂ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଘଟଣା ସଂପର୍କରେ ସେ ଥାନାରେ ଏତଲା ଦେଇଛନ୍ତି।
୨୦୧୫ ଏପ୍ରିଲରେ ସଞ୍ଜୁ କୁନା ସହ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା, ଏବଂ ପ୍ରଥମେ ସମ୍ପର୍କ ହସଖୁସିରେ କଟୁଥିଲା। ଉଭୟଙ୍କର ୨ ଜଣ କନ୍ୟା ସନ୍ତାନ ଅଛନ୍ତି। କିନ୍ତୁ ପରେ ସ୍ବାମୀଙ୍କ ମଦପାନ ଜନିତ ଅସଦାଚରଣ ଏବଂ ଯୌତୁକ ଦାବି ହିଂସା ତାଙ୍କ ଜୀବନକୁ ଅଶାନ୍ତ ଏବଂ ଅସୁରକ୍ଷିତ କରିଦେଇଛି।
ଗତ ଡିସେମ୍ବର ୨୪ରେ ସଞ୍ଜୁଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିବା ଉଦ୍ୟମ କରିଥିଲେ। ଘଟଣା ପରେ ସଞ୍ଜୁ ଘରୁ ପଳାଇ ଥାନାରେ ଏତଲା କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଦିଗପହଣ୍ଡି ଥାନାର ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ରଜୁ କରିଥିଲେ। ଅଭିଯୁକ୍ତ କୁନା ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ଏବଂ ଜାମିନ ଖାରଜ ହେବାରୁ ସେ ଦିଗପହଣ୍ଡି ସବ ଜେଲ୍ରେ ହାଜତରେ ରହିଛନ୍ତି।