ଦିଗପହଣ୍ଡି, ୨୫/୧ : ଗଞ୍ଜାମ ଜିଲାର କେ. ନୂଆଗାଁ ଥାନା ଅନ୍ତର୍ଗତ ସୁବଳୟା ଶାସନ ଗ୍ରାମରୁ ଚୋରି ହୋଇଥିବା ବାଇକର ସନ୍ଧାନ ମିଳିବା ସହ ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ନୂଆପଡ଼ା କେଉଟ ସାହିର ବାସିନ୍ଦା ଜି. ଶାନ୍ତନୁ ରେଡ୍ଡୀ।
ସୂଚନା ଅନୁସାରେ, ଗତ ୩୦ ଡିସେମ୍ବର ୨୦୨୪ ତାରିଖରେ ସୁବଳୟା ଶାସନ ଗ୍ରାମର ପ୍ରଶାନ୍ତ ପଣ୍ଡା ତାଙ୍କ ହିରୋ ସ୍ପ୍ଲେଣ୍ଡର ପ୍ଲସ ବାଇକ (ନଂ. ଓଆର ୦୭ଏସି ୩୩୭୭) ନିଜ ଘର ସମ୍ମୁଖରେ ରଖିଥିବା ବେଳେ ତାହା ଚୋରି ହୋଇଯାଇଥିଲା। ପ୍ରଶାନ୍ତ ଏହି ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନାରେ ଆବଦନ ଦେଇଥିଲେ, ଯାହା ଉପରେ ମାମଲା (ନଂ. ୩୯୫/୨୪) ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ପରେ, ଅଭିଯୁକ୍ତ ଶାନ୍ତନୁ ରେଡ୍ଡୀ ଚୋରି ହୋଇଥିବା ବାଇକ ବ୍ୟବହାର କରୁଥିବା ସୂଚନା ପାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଥିଲା। ବାଇକ ଜବତ କରି ପୋଲିସ ଏହାକୁ ମାଲିକଙ୍କ ନିକଟକୁ ଫେରାଇଦେବା ପ୍ରସ୍ତୁତି ନେଇଛି।
ଶନିବାର, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏଥିରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ, ଶାନ୍ତନୁକୁ ଦିଗପହଣ୍ଡି ସବ ଜେଲକୁ ପଠାଯାଇଛି। ମାଲିକ ପକ୍ଷରୁ ଏହି ମାମଲାର ସତ୍ଵର ସମାଧାନ ପାଇଁ ପୋଲିସଙ୍କ କାର୍ଯ୍ୟକୁ ସ୍ୱାଗତ କରାଯାଇଛି।