ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀରେ ଉପସ୍ଥିତ ମହିଳା ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରି ଜଣାଇଛନ୍ତି ଯେ ଶିକ୍ଷା ଏବଂ ଦକ୍ଷତା ଉନ୍ନୟନ ହିଁ ହେଉଛି ମହିଳା ଅର୍ଥନୈତିକ ସ୍ୱାଧୀନତାର ମୂଳମନ୍ତ୍ର। ଏହି ପ୍ରସଙ୍ଗରେ ସେ ବିଶ୍ୱବିଦ୍ୟାଳୟ ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନମାନଙ୍କ ସହିତ ସମନ୍ୱୟ କରି ବିଶେଷ ଛାତ୍ରବୃତ୍ତି, ଇଣ୍ଟର୍ନସିପ୍ ଏବଂ ନେତୃତ୍ୱ ଅଭିଜ୍ଞତା ପ୍ରଦାନ କରିବାର ଯୋଜନା ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ମହିଳାମାନଙ୍କ ବ୍ୟବସାୟ ପ୍ରସାରଣ ଏବଂ ନୂତନ ଉଦ୍ୟୋଗ ଆରମ୍ଭ କରିବା ପାଇଁ "ସୁଭଦ୍ରା ଯୋଜନା" ରୁ ଅର୍ଥିକ ସହଯୋଗ ପ୍ରଦାନ କରାଯିବ। ଏହି ଯୋଜନା ଆଧାରରେ ମହିଳାମାନେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମ (MSME) ମାଧ୍ୟମରେ ନିଜ ସ୍ୱତନ୍ତ୍ର ବ୍ୟବସାୟ ଗଠନ କରିପାରିବେ।
ଏଥିସହ ସରକାର ପ୍ରଥମଥର ପାଇଁ ଏକ ଜେଣ୍ଡର-ବଜେଟିଂ ପ୍ରସ୍ତୁତ କରି ମହିଳାମାନଙ୍କୁ ସ୍ୱାଧୀନ ଏବଂ ସକ୍ଷମ କରିବାର ଲକ୍ଷ୍ୟ ନେଇଛି। ଏଥି ଚଳିତ ବଜେଟର ୨୮.୫% ଅର୍ଥାତ ୭୫,୬୨୩ କୋଟି ଟଙ୍କା କେବଳ ମହିଳା ଉନ୍ନୟନ ଏବଂ ସଶକ୍ତୀକରଣ ପାଇଁ ନିର୍ଦ୍ଧାରିତ ରହିଛି। ଏହା ମହିଳାମାନଙ୍କ ନୂତନ ଉଦ୍ୟୋଗ ଏବଂ ଆର୍ଥିକ ଅଗ୍ରଗତି ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ଅର୍ଥନୈତିକ ହବ୍ ରୂପେ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି, ଏବଂ ଏଥି ପାଇଁ ମହିଳାମାନଙ୍କ ଅର୍ଥନୈତିକ ଏବଂ ଉଦ୍ୟମୀ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଦିଗରେ ଏକ ନୂତନ ଆୟାମ ଦେବା ପାଇଁ ସରକାର ବହୁ ପ୍ରସ୍ତାବ ଉପରେ କାମ କରୁଛି।
ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶର ଏକାଧିକ ପ୍ରମୁଖ ମହିଳା ଉଦ୍ୟୋଗୀ ଯଥା ଡାଏନା ପିଚୋ, ଧରିତ୍ରୀ ପଟ୍ଟନାୟକ, ସ୍ୱିକୃତି ପଟ୍ଟନାୟକ, ସ୍ମିତା ଅଗ୍ରୱାଲ ଏବଂ ପ୍ରୀତି ବଜାଜ୍ ନିଜ ସଫଳତା ଏବଂ ସଂଘର୍ଷ ର କାହାଣୀ ସେୟାର କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରି ଏହା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି।