Hot Posts

6/recent/ticker-posts

ବୈପାରିଗୁଡ଼ା: ଅପହୃତ ବ୍ୟବସାୟୀ ଉଦ୍ଧାର, ଚିଣ୍ଟୁର୍ ସୀମାରେ ଛାଡ଼ି ଚମ୍ପଟ ମାରିଲେ ଅପହରଣକାରୀ


ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବ୍ୟବସାୟୀ କେ. ସତ୍ୟା ଅନ୍ତତଃ ଉଦ୍ଧାର ହୋଇଛନ୍ତି। ଅପହରଣକାରୀମାନେ ଆନ୍ଧ୍ର-ଓଡ଼ିଶା ସୀମାର ଚିଣ୍ଟୁର୍ ଅଞ୍ଚଳରେ ସତ୍ୟାଙ୍କୁ ଛାଡ଼ି ଚମ୍ପଟ ମାରିଥିବା ସୂଚନା ମିଳିଛି। ଉଦ୍ଧାର ପରେ ସତ୍ୟାଙ୍କ ସହ ପରିବାର ଲୋକଙ୍କ ସାକ୍ଷାତ ହୋଇଛି, ଏବଂ ସେମାନେ ବୈପାରିଗୁଡ଼ା ଅଭିମୁଖେ ଫେରୁଛନ୍ତି। 

ଗତ ରାତି ସାଢ଼େ ୯ଟାରେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଏହି ଘଟଣା ଘଟିଥିଲା। ପାଡୁଆ ଗ୍ରାମର ବ୍ୟବସାୟୀ ସତ୍ୟା ଗତକାଲି ସନ୍ଧ୍ୟାରେ ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବାକୁ ନିଜ କାରରେ ଜୟପୁର ଯାଇଥିଲେ। ଟଙ୍କା ନେଇ ଫେରୁଥିବା ସମୟରେ କୋଲାବ ବ୍ରିଜ୍ ନିକଟରେ କେତେକ ଡ଼କାୟତ କାରକୁ ଅଟକାଇ ତାଙ୍କୁ ଅପହରଣ କରିଥିଲେ। 

ଅଭିଯୋଗ ପରେ ବୈପାରିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସତ୍ୟାଙ୍କ ମୋବାଇଲ୍ ଟ୍ରାକ୍ କରି ତାଙ୍କ ଅବସ୍ଥାନ ଚିହ୍ନଟ କରିବାରେ ସଫଳ ହୋଇଥିଲେ। 

ଅପହରଣ ପଛର କାରଣ ଏବଂ ଜଡ଼ିତ ଡ଼କାୟତ ଦଳ ର ଖୋଜଖବର ଜାରି ରହିଛି। ଘଟଣାର ମୂଳକାରଣ ତଦନ୍ତ ପରେ ଜଣାଯିବ। ଏବେ ଉଦ୍ଧାର ହୋଇଥିବା ବ୍ୟବସାୟୀ ସତ୍ୟାଙ୍କ ଶ୍ରେଷ୍ଠ ସୁରକ୍ଷା ସାହାଯ୍ୟ ଦିଆଯାଇଛି।