Hot Posts

6/recent/ticker-posts

କଣିହାଁରେ ସରକାରୀ ବସ୍ ଦୁର୍ଘଟଣା: ୨ ମୃତ, ୩୧ ଆହତ

କଣିହାଁ, ତାଳଚେର ୨୮/୧ : ରବିବାର ଅପରାହ୍ଣ ସାଢ଼େ ୪ଟା ବେଳେ ବାରିପଦାରୁ ଅନୁଗୁଳ ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍ (ଓଡି୧୯-କେ-୯୨୦୪) ଭାରସାମ୍ୟ ହରାଇ ବାରୁଆଁ ପାହାଡ଼ ତଳରେ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ଝାରଖଣ୍ଡ ସିଂହଭୂମର ରାଧାକାନ୍ତ ମୁଣ୍ଡା ଓ ମୟୂରଭଞ୍ଜ ରାଇରଙ୍ଗପୁରର ସମୀର ମହାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପଟେ, ୩୧ ଯାତ୍ରୀ ଆହତ ହୋଇଥିଲେ, ଯେଉଁଥରୁ ୯ ଜଣଙ୍କ ଅବସ୍ଥା ଗୁରୁତର।

ବସ୍‌ ଭିତରେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ, ପୁଲିସ, ଏବଂ ଅଗ୍ନିଶମ ବାହିନୀ କାମ କରିଥିଲେ। ଗୁରୁତର ଆହତଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଓ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଯାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ମଧ୍ୟ ପଠାଯାଇଛି। ଅନ୍ୟମାନଙ୍କୁ ଗୋଡ଼ିବନ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସ୍ବସ୍ଥ ହେବା ପରେ ମୟୂରଭଞ୍ଜ ପଠାଯାଇଛି।

ଦୁର୍ଘଟଣା ପରେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଏବଂ ଏସ୍‌ଡିପିଓ ମାନସ ବାରିକ ଆହତଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତଦାରଖ କରିଥିଲେ। ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର ଏବଂ ଏସ୍‌ପି ରାହୁଲ ଜୈନ ମଧ୍ୟ ଆହତଙ୍କୁ ଭେଟି ସେମାନଙ୍କୁ ଆବଶ୍ୟକ ସହାୟତା ଏବଂ ଚିକିତ୍ସା ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ସାମାନ୍ୟ ଆହତଙ୍କୁ ୫,୦୦୦ ଓ ଗୁରୁତର ଆହତଙ୍କୁ ୧୦,୦୦୦-୨୦,୦୦୦ ଧନରାଶି ସହାୟତା ଦେବାକୁ ଘୋଷଣା କରିଛନ୍ତି।

ଦୁର୍ଘଟଣା ଘଟିବା ପରେ ଡ୍ରାଇଭର୍ ଫେରାର ହୋଇଥିବାରୁ ପୁଲିସ ତାଙ୍କ ପତା ଲଗାଇବାକୁ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ମୂଳ କାରଣ ବସ୍‌ର ଭାରସାମ୍ୟ ହରାଇବା ବୋଲି ପ୍ରାରମ୍ଭିକ ତଥ୍ୟ ମଧ୍ୟ ମିଳିଛି।