Hot Posts

6/recent/ticker-posts

ରାମଚନ୍ଦ୍ରପୁର: ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜବତ

 


ଆନନ୍ଦପୁର, ୪।୧: କେନ୍ଦୁଝର ଜିଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟର ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକ କାର୍ତ୍ତିକ ସାହୁଙ୍କ (୪୦) ଗଳିତ ମୃତଦେହ ଆଜି ଜବତ ହୋଇଛି।  ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବଡପଦନା ଗ୍ରାମର ବସିବାସୀ ଗୋକୁଳାନନ୍ଦ ସାହୁଙ୍କ ପୁଅ କାର୍ତ୍ତିକ ତିନି ଦିନ ପୂର୍ବରୁ ନିଜ ଘରୁ ବେପତ୍ତା ହୋଇଥିଲେ। ଖୋଜାଖୋଜି ପରେ ପରିବାର ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରାଯାଇଥିଲା।  

ଶନିବାର ସକାଳରେ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ, ୨୦ ନମ୍ବର ଜାତୀୟ ରାଜପଥ ପ୍ରାନ୍ତରେ ଥିବା ପରିତ୍ୟକ୍ତ କୂଅରେ କାର୍ତ୍ତିକଙ୍କ ମୃତଦେହ ଭାସୁଥିବା ଦେଖି ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ। ଖବର ମିଳିବା ସହିତ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ମୃତଦେହକୁ କୂଅ ଭିତରୁ ବାହାର କରିଥିଲେ।  

ରାମଚନ୍ଦ୍ରପୁର ପୋଲିସ ଏକ ଅପମୃତ୍ୟୁ ମାମଲା (୧/୨୫) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଇଥିବା ସହିତ ଘଟଣାର ଅବସ୍ଥାନୁସାରେ ଅଧିକ ତଦନ୍ତ ଜାରି ରଖିଛି।