Hot Posts

6/recent/ticker-posts

ପଟ୍ଟାମୁଣ୍ଡାଇରେ ମାଙ୍କଡ ଉପଦ୍ରବ: ସପ୍ତାହରେ ୧୫ରୁ ଅଧିକ ଆହତ, ଲୋକମାନେ ଭୟଭୀତ


ପଟ୍ଟାମୁଣ୍ଡାଇ, ୨୧/୧: ପଟ୍ଟାମୁଣ୍ଡାଇ ଥାନା ସାନମାଣତିଆ ପଞ୍ଚାୟତରେ ମାଙ୍କଡ ଉପଦ୍ରବ ଦିନକୁ ଦିନ ବଢିବାରେ ଲୋକମାନେ ଆତଙ୍କରେ ରହୁଛନ୍ତି। ମାଙ୍କଡ ପଲ ଗଛରେ ଲୁଚି ଥିବାବେଳେ ହଠାତ୍ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଆହତ କରୁଛି। ସପ୍ତାହମଧ୍ୟରେ ଏହି ଆକ୍ରମଣରେ ୧୫ରୁ ଅଧିକ ଲୋକ ଘାଇଲା ହୋଇଛନ୍ତି।

ଗତ ରବିବାର ମାତ୍ରେ ମାଙ୍କଡ ଆକ୍ରମଣରେ ବଡମାଣତିଆ ଗାଁର କାଳନ୍ଦୀ ସାମଲ, ରବୀନ୍ଦ୍ର ସାହୁ, ପୁରସ୍ତମ ମଲ୍ଲିକ, ଧନିଆ ମଲ୍ଲିକ ଓ ଶୁଭଶ୍ରୀ ଦାସ ଆହତ ହୋଇଥିଲେ। ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମାଙ୍କଡ ପଲର ଭୟରେ ଗାଁବାସୀ ଘରର ତାଟି କବାଟ ଭଲରୁ ପକେଇ ରଖୁଛନ୍ତି। ଅତି ଆବଶ୍ୟକ ନହେଲେ ଲୋକ ଘରୁ ବାହାରୁନାହାନ୍ତି। ଜେତେବେଳେ ଲୋକ ବାହାରୁଛନ୍ତି, ସେମାନେ ମାଙ୍କଡ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ଏହାରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଭୟଙ୍କର ଭାବରେ ବଢି ଚାଲିଛି।

ଗାଁବାସୀ ମାଙ୍କଡ ପଲକୁ ଗାଁ ଛାଡିବାକୁ ବିଭିନ୍ନ ଉପାୟ ଚାଲାଉଛନ୍ତି। ଠେଙ୍ଗା, ନିଆଁ ଲଗାଇ ମାଙ୍କଡମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ସମସ୍ତ ପ୍ରୟାସ ବିଫଳ ହୋଇଛି। ଏହି ଉପଦ୍ରବ ଦୂର କରିବା ପାଇଁ ଗାଁବାସୀ ଜିଲ୍ଲାପାଳ ଓ ବନବିଭାଗ ନିକଟରେ ଦାବି କରି ମାଙ୍କଡ ପଲକୁ ତଡିବା ପାଇଁ ଆହ୍ୱାନ କରିଛନ୍ତି।