ଆନନ୍ଦପୁର, ୧୮/୧ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳର ଅମାରଙ୍ଗ ବୈତରଣୀ ନଦୀଘାଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଚିନ୍ତାମଣି ପଲେଇ (୫୨), ଧକୋଠା ଅମାରଙ୍ଗ ଗ୍ରାମର ବାସିନ୍ଦା, ତିନି ଦିନ ଧରି ନିଖୋଜ ଥିଲେ।ଗତ ତିନି ଦିନ ଧରି ପରିବାର ଲୋକ ଅନେକ ଖୋଜାଖୋଜି କଲେ ମଧ୍ୟ ଚିନ୍ତାମଣି ମିଳିନଥିଲେ । ଶନିବାର ଧକୋଠା ଅମାରଙ୍ଗ ବୈତରଣୀ ନଦୀଘାଟକୁ ଗ୍ରାମବାସୀ ମଧ୍ୟାହ୍ନରେ ଯାଇଥିବା ବେଳେ ଏକ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ। ସମ୍ପୂର୍ଣ୍ଣ ଘଟଣାକୁ ଦେଖି ସେମାନେ ଆନନ୍ଦପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଚିନ୍ତାମଣିଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପରେ ପରିବାର ସଦସ୍ୟମାନେ ମୃତଦେହକୁ ଚିହ୍ନଟ କରି ପୋଲିସକୁ ସୂଚନା ଦେଲେ। ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ପଚାରାଉଚରା କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଇଦେଇଛି।
ଚିନ୍ତାମଣିଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ସେଥିପାଇଁ ଗ୍ରାମବାସୀ ଓ ପରିବାର ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ଆଧାରରେ ମୃତ୍ୟୁର ସଠିକ କାରଣ ଜଣା ପଡ଼ିବାକୁ ଆଶା କରାଯାଉଛି।