ବାରିପଦା, ୮/୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶିତ ହୋଇଛି। ଜଜ୍ ସନ୍ତୋଷ କୁମାର ନାୟକ ଜଣକ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ମାମଲାରେ ଅଭିଯୁକ୍ତ ଚୈତନ୍ୟ ପ୍ରସାଦ ସିଂ (୪୫)ଙ୍କୁ ଆଜୀବନ କାରାଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜରିମାନାର ରାୟ ଘୋଷଣା କରିଛନ୍ତି। ଜରିମାନା ଅନାଦାୟ କଲେ ଅଭିଯୁକ୍ତଙ୍କୁ ଅତିରିକ୍ତ ଗୋଟିଏ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଘଟଣାଟି ଖୁଣ୍ଟା ଥାନା ଅଧୀନରେ ଘଟିଥିଲା। ୧ ଜାନୁଆରୀ ୨୦୧୯ରେ ଅଭିଯୁକ୍ତ ଚୈତନ୍ୟ ପ୍ରସାଦ ସିଂ ଜଣକ ନାବାଳିକାଙ୍କୁ ଭାତ ମାଂସ ଖାଇବାର ଲୋଭ ଦେଇ ଏକ ନଦୀ କୂଳକୁ ନେଇଗଲେ ଏବଂ ସେଠାରେ ବଳାତ୍କାର କରିଥିଲେ। ପରେ ପୀଡ଼ିତାକୁ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ଖବର ପାଇ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ପ୍ରତିବେଦନ ଏବଂ ପୋଲିସ ରିପୋର୍ଟ ଭିତ୍ତିକରି ଜଜ୍ ନିଜ ରାୟ ଦେଇଛନ୍ତି। ଏହା ସହିତ, ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।