Hot Posts

6/recent/ticker-posts

ନିଷ୍ପାପ ଶିଶୁଙ୍କ ଜୀବନ ଗଲା : ପାଳଗଦା ନିଆଁରେ ଦୁଇ ପୁଅ ଜଳିଗଲେ


ବୌଦ୍ଧ, ବାଉଁଶୁଣି ୧୨/୧ : ଏକ ହୃଦୟ ବିଦାରକ ଘଟଣାରେ ଶନିବାର ସନ୍ଧ୍ୟାରେ ଦୁଇ ନିଷ୍ପାପ ଶିଶୁ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣା ବୌଦ୍ଧ ସଦର ବ୍ଲକ୍‌ର ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗାଁରେ ଘଟିଛି, ଯାହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଶୋକାକ୍ତ କରିଦେଇଛି।  ମୃତ ଶିଶୁମାନେ ହେଲେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ୭ ବର୍ଷୀୟ ପୁଅ କ୍ରିଷ୍ଣା ଭୋଇ ଏବଂ ବୌଦ୍ଧ ବ୍ଲକ‌୍ ବନ୍ଧାପଥର ପଞ୍ଚାୟତ ବସନ୍ତବାହାଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ୮ ବର୍ଷୀୟ ପୁଅ କ୍ରିଷ୍ଣା ଉର୍ମା। ଏହି ଦୁଇ ଶିଶୁ ସମ୍ପର୍କରେ ମାମୁ ଭଣଜା ଥିବା ସୂଚନା ମିଳିଛି।  କ୍ରିଷ୍ଣା ଉର୍ମା ତାଙ୍କ ମାମୁଘରକୁ ବୁଲି ଆସିଥିଲେ। ସନ୍ଧ୍ୟାବେଳେ ବଲାକିରା ଗାଁର ଏକ ପାଳଗଦା ନିକଟରେ ଶିଶୁମାନେ ଖେଳୁଥିଲେ। କେତେକ ଅଜଣା କାରଣରୁ ପାଳଗଦାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ସମୟରେ ଦୁହେଁ ଏକ ଗାତରେ ପଡ଼ି ଯାଇ ଉଠିପାରିନଥିଲେ, ଯାହାର ଫଳରେ ସମ୍ପୂର୍ଣ୍ଣ ପୋଡ଼ି ମୃତ୍ୟୁବରଣ କରିଥିଲେ।  ଏହି ଅକାଳ ଘଟଣା ନେଇ ସମ୍ପୂର୍ଣ୍ଣ ଗାଁ ଶୋକରେ ମିୟମ୍ରାଣ ହୋଇଛି। ପରିବାର ସହ ସମଗ୍ର ଗାଁବାସୀ ମଧ୍ୟ କାନ୍ଦବୋବାଳି କରୁଛନ୍ତି।  ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଦୁଃଖଦ ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ପରିବାରକୁ ଆର୍ଥିକ ସହାୟତା ଭାବେ ₹୪ ଲକ୍ଷ ଘୋଷଣା କରିଛନ୍ତି।  ଅନୁସନ୍ଧାନ ଚାଲିଛି। ସ୍ଥାନୀୟ ଲୋକଙ୍କୁ ସଚେତନ ହେବାକୁ ଅନୁରୋଧ କରାଯାଇଛି ଯାହାର ଫଳରେ ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ।