ମୁନିଗୁଡ଼ା, ୧୯/୦୧: ରାୟଗଡା ଜିଲ୍ଲାର ଦୂର୍ଗୀ ବନଖଣ୍ଡ ଅନ୍ତର୍ଗତ ମାରିଡି ଝୁଲା ଗ୍ରାମରେ ଜାଳେଣି କାଠ ଆଣିବାକୁ ଜାଇଥିବା ସମୟରେ ଏକ ଦନ୍ତା ହାତୀର ଆକ୍ରମଣରେ ଜିମ୍ବୁରୁ କୁମ୍ବୁରିକା ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୂର୍ଚ୍ଛିତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଷମ କଟକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଯୁବକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀଟି ତାଙ୍କୁ ଉଠାଇ କଚାଡି ଫିଙ୍ଗି ଦେବା ପରେ ସେ ଏକ ବୁଦାର ଭିତରେ ଆହତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକ ଓ ଗ୍ରାମବାସୀ ଖୋଜା ଖୋଜି ପରେ ସେ ଆହତ ଅବସ୍ଥାରେ ମିଳିଥିଲେ।
ଘଟଣାର ଖବର ପାଇ ବନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଗ୍ରାମକୁ ପହଞ୍ଚିଥିଲେ। ସେଠାରୁ ଯୁବକକୁ ମୁଖ୍ୟ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ। ମେଡିକାଲ ଖବର ଅନୁଯାୟୀ, ଯୁବକଙ୍କ ଗୋଡ ଭାଙ୍ଗିଯାଇଥିଲା, ଯାହାକୁ ଉନ୍ନତ ଚିକିତ୍ସା ଦ୍ୱାରା ଶିଘ୍ର ସୁରକ୍ଷା ପ୍ରଦାନ କରାଯାଇଛି।
ଗତ କିଛି ସମୟ ଧରି ଏହି ଅଞ୍ଚଳରେ ଏକ ୮ଟିଆ ହାତୀର ପଲ ଘୂରୁଛି। ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି, କିନ୍ତୁ ଏହି ପଲର ଏକ ସ୍ଥାୟୀ ତଥ୍ୟ ମିଳି ପାରୁନାହିଁ। ଏହି ପଲରୁ ଗୋଟିଏ ଦନ୍ତା ଅଲଗା ହୋଇ ଗାଁ ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଥିବା ସନ୍ଦେହ ଜଣାଯାଇଛି।