ମାଲକାନଗିରି, ୯।୦୧: ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମାର ଜଙ୍ଗଲ ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ତିବ୍ର ଗୁଳିବିନିମୟ ହେବାର ସୂଚନା ମିଳିଛି। ଏହି ଏନ୍କାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହେବା ସହ ଅନେକ ଆହତ ହେଇଥିବା ଜଣାପଡ଼ିଛି। ଏହାପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସ୍ଥାନୀୟ ପୋଲିସଙ୍କୁ ଗୁଇନ୍ଦା ସୂଚନା ମିଳିବା ପରେ ସୁକୁମା ପୋଲିସ, କୋବ୍ରା ବାହିନୀ, ଡିଆରଜି ଏବଂ ଏସଟିଏଫ୍ ସଂଯୁକ୍ତ ଭାବେ କମ୍ବିଂ ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ସମୟରେ ଜଙ୍ଗଲର ଏକ ଭାଗକୁ ଘେରି ରଖିବାକୁ ସୁରକ୍ଷା ବାହିନୀ ସମର୍ଥ ହୋଇଥିଲା। ଏଥିରେ ମାଓବାଦୀମାନେ ଆକ୍ରମଣ କରିଥିଲେ, ଯାହାକୁ ସୁରକ୍ଷା ବାହିନୀ ସହସା ଦମନ କରିଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିଲା, ଯାହାରେ ମାଓବାଦୀଙ୍କ ଭାରି କ୍ଷତି ହୋଇଛି।
ସରକାରୀ ସୂଚନା ଅନୁଯାୟୀ, ଗୁଳିବିନିମୟରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସହ ଅନେକ ଆହତ ହୋଇଥିବାର ସୂଚନା ମିଳିଛି। ମୃତ ମାଓବାଦୀମାନଙ୍କ ଶବ ମିଳିବା ସହ ଅଞ୍ଚଳରେ ଅଧିକ ସଂଖ୍ୟାରେ ହାତିଆର ଏବଂ ଗୋପନ ସାମଗ୍ରୀ ମିଳିଛି।
ଏନ୍କାଉଣ୍ଟର ପରେ ଆଞ୍ଚଳିକ ଜଙ୍ଗଲରେ ସୁରକ୍ଷା ବାହିନୀ ଦ୍ୱାରା ଘନ ତଦନ୍ତ ଆରମ୍ଭ କରାଯାଇଛି। କୋବ୍ରା, ଡିଆରଜି, ଏବଂ ଏସଟିଏଫ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ଦ୍ୱାରା ଅଞ୍ଚଳରେ ଅନ୍ୟ ଲୁଚିଥିବା ମାଓବାଦୀମାନଙ୍କୁ ଚିହ୍ନଟ କରାଯାଉଥିବା ସୂଚନା ମିଳିଛି।