ଭୁବନେଶ୍ୱର, ୧୩/୧ : ଆସନ୍ତା ଫେବ୍ରୁଆରୀରୁ ଓଡିଶାରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର ହେବାରୁ ଏହି ଯୋଜନାର ଆରମ୍ଭ ତାରିଖ ଘୋଷଣା ହେବାକୁ ଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ। ସେମାନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗଦେବେ।
୫୫ କୋଟି ଗରିବ ହିତାଧିକାରୀଙ୍କୁ ଲକ୍ଷ୍ୟ କରି ଆୟୁଷ୍ମାନ୍ ଭାରତ ଯୋଜନାରେ ପ୍ରତିବର୍ଷ ପ୍ରତ୍ୟେକ ପରିବାର ରୋଗ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ। ରାଜ୍ୟରେ ଏହି ଯୋଜନା ଲାଗୁ ହେଲାପରେ ସାଢେ ୩ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ଦ୍ୱାରା ଲୋକେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ଉପଭୋଗ କରିପାରିବେ। ଏହା ଇନ୍ସ୍ୟୁରାନ୍ସ ଅଧିକ ଏକ ଆସ୍ୟୁରାନ୍ସ ମୋଡ୍ରେ ରହିବ, ଯେଉଁଥିରେ ହିତାଧିକାରୀଙ୍କୁ ସିଧାସଳଖ ଚିକିତ୍ସା ମିଳିବ।
ଏହି ଯୋଜନା ଚାଳୁ ହେଲାପରେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ୍ ଭାରତ ର କାର୍ଡ ସମାନ ଭାବରେ ଚାଲିବ। ଦେଶର ୨୭ ଶହରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଅନେକ ଜନସାଧାରଣଙ୍କୁ ସୁସ୍ଥ ଜୀବନ ଦେବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ।
ଓଡିଶାରେ ଫେବ୍ରୁଆରୀରୁ ଆୟୁଷ୍ମାନ୍ ଭାରତ ଯୋଜନା ରୂପାୟଣ ହେବା ସହିତ ଅନେକ ଗରିବ ଓ ନିରାଶ୍ରୟ ପରିବାର ବିନା ଅର୍ଥେ ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା ପାଇବେ । ଏହି ଚିକିତ୍ସା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମ୍ମିଳିତ ଉଦ୍ୟମର ଏକ ଆଦର୍ଶ ଦୃଷ୍ଟାନ୍ତ।