ଭୁବନେଶ୍ୱର, ୧୮/୧ : ଆସନ୍ତା ୨୨ ଜାନୁଆରୀରୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ଅନ୍ତର୍ଗତ ଘର ପ୍ରଦାନ ପାଇଁ ଜାତୀୟ ସର୍ଭେ ଆରମ୍ଭ ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସର୍ଭେ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ନିଷ୍ପତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସର୍ଭେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆବାସ ପ୍ଲସ୍ ଆପ୍ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ପୂର୍ବରୁ ତାଲିକାରୁ ବାଦ ହୋଇଥିବା ହିତାଧିକାରୀଙ୍କୁ ଏବେ ସର୍ଭେରେ ମାନ୍ୟତା ଦିଆଯିବ। ସର୍ଭେ ସମୟରେ ନୂଆ ଗାଇଡଲାଇନ୍ ଅନୁଯାୟୀ ଚାଲିବ ଓ ଲୋକଙ୍କୁ ଏହି ଯୋଜନା ବିଷୟରେ ସଚେତନ କରାଯିବ। ସର୍ଭେ ସଫଳ କରିବାକୁ ଏକ ବ୍ୟାପକ ପ୍ରଚାର ଅଭିଯାନ ଚାଲିବ। ପ୍ରତ୍ୟେକ ପଞ୍ଚାୟତରେ ମାଇକ୍ର ଯୋଗେ ଘୋଷଣା, ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଇବା, ଏବଂ ସାମାଜିକ ମାଧ୍ୟମରେ ସୂଚନା ଚାଲିବ। ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଏହାକୁ ଜନସାଧାରଣ ମଧ୍ୟରେ ପ୍ରସାରିତ କରାଯିବ।
ଯୋଜନାର ଉଦ୍ଦେଶ୍ୟ ଲୋକଙ୍କୁ ଘର ଦେବା ସହ ତାଙ୍କ ଜୀବନର ସ୍ଥିରତା ଓ ମୂଳ ଆବଶ୍ୟକତା ପୂରଣ କରିବା। ସମୟମାନ ଭିତରେ ସର୍ଭେ ତଥା ହିତାଧିକାରୀ ଚିହ୍ନଟ ନିଶ୍ଚିତ ହେବ ବୋଲି ଅଭିଯାନର ଜଣେ ଅଧିକାରୀ କହିଛନ୍ତି।