ଉମରକୋଟ, ୧୫ /୧ : ନବରଙ୍ଗପୁର ଜିଲ୍ଲାରେ ଥମୁନି ଲୁଟେରାଙ୍କ ଦୁର୍ସାହସ ଦିନକୁ ଦିନ ବଢ଼ୁଛି। ତାଜା ଘଟଣାରେ ରାଇଘର ବ୍ଲକରେ ଜଣେ ବ୍ୟବସାୟୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ସହିତ ୧୫ ଲକ୍ଷ ଟଙ୍କା ଲୁଟ ହୋଇଛି। ଏହି ଲୁଟକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ବାର୍ତ୍ତା ପ୍ରସାରିତ ହେବା ସହିତ ପୋଲିସ ପାଇଁ ଏହା ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ବ୍ୟବସାୟୀ ଅବଦୁଲ ଆନସାରି ଦୁଇ କର୍ମଚାରୀ—ଗୁଡ୍ଡୁ ଧୋବା ଓ ଯୁନୁଷ ଲାଠିଆ ସହ ଛତାବେଡାଠାରେ ସାପ୍ତାହିକ ହାଟକୁ ଯାଉଥିବା ସମୟରେ ଏହି ଘଟଣା ଘଟିଛି। ସେମାନଙ୍କ ବାଇକ ଗ୍ରାମ ନିକଟରେ ମୁଖା ପିନ୍ଧା ୬ ଜଣ ଦୁର୍ବୃତ୍ତ ଦ୍ୱାରା ଅଟକାଇ ଦିଆଯାଇଥିଲା। ଏହା ପରେ ଠେଙ୍ଗାରେ ଆକ୍ରମଣ କରି ବ୍ୟବସାୟୀଙ୍କୁ ମରଣାନ୍ତକ ଅବସ୍ଥାରେ ଛାଡ଼ି, ସେମାନଙ୍କ ରହିଥିବା ୧୫ ଲକ୍ଷ ଟଙ୍କା ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ।
ଗୁରୁତର ଅବସ୍ଥାରେ ଅବଦୁଲ ଆନସାରିଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ସାହସିକ ଲୁଟ ପରେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ମହଳ ଓ ସାମାଜିକ ମଞ୍ଚରେ ଆକ୍ଷୋଭ ତିବ୍ର ହୋଇଉଠିଛି।