ଲାଞ୍ଜିଗଡ଼, ୧୭/୩ : – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ସେକ୍ସସନରେ ବେଆଇନ ଜଙ୍ଗଲ କାଟିବା ଓ ପୋଡ଼ିଦେଇ ଚାଷ କରିବା ଅଭିଯୋଗରେ ୬ ଜଣ ଜଙ୍ଗଲ ମାଫିଆଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ବନବିଭାଗ। ଏହି ଅଭିଯାନ ସ୍ଥାନୀୟ ଲୋକମାନଙ୍କ ଅସନ୍ତୋଷ ଓ ଗଣମାଧ୍ୟମର ଖବର ପରେ ଜୋରଦାର ହୋଇଥିଲା।
ବିଜେପୁର ସେକ୍ସସନ ଘାଟିକୁଣ୍ଡରୁ ଠାରୁ ପାହାଡ଼ ପଦର ଉପର୍ଯ୍ୟନ୍ତ ବେଆଇନ ଭାବରେ ହେକ୍ଟର ହେକ୍ଟର ଜଙ୍ଗଲ କଟା ଚାଲିଥିଲା। ଏହି କ୍ଷେତ୍ର ବିଜେପୁର ବନାଞ୍ଚଳ କାର୍ଯ୍ୟାଳୟରୁ କେବଳ ୬ କି.ମି. ଦୂରରେ ଅବସ୍ଥିତ ଥିଲେ ମଧ୍ୟ ବନ ବିଭାଗ ଏକ ଦୀର୍ଘ ସମୟ ଧରି ଏହି ଅପରାଧକୁ ଅନଦେଖା କରୁଥିଲା।
ଗଣମାଧ୍ୟମରେ ଏହି ବେଆଇନ ଜଙ୍ଗଲ ହତ୍ୟା ଖବର ଆସିଲାପରେ ବନ ବିଭାଗ ତତ୍ପର ହୋଇ ତଦନ୍ତ ଆରମ୍ଭ କଲା। ତଦନ୍ତ ଫଳରେ ମଦନଗୁଡ଼ା ଗାଁର ଲାଞ୍ଜି ମାଝୀ (୫୫), ଦିପେନ ସୁନା (୨୦), ରାମ ମାଝୀ (୨୭), ସାଇବୁ ମାଝୀ (୨୩), ବନାଙ୍ଗ ମାଝୀ (୫୦) ଏବଂ କାକୁଡା ମାଝୀ (୫୩) ଙ୍କୁ ଗିରଫ କରାଯାଇଛି।
ଏହି ଅଭିଯାନ ପରେ ଅଞ୍ଚଳବାସୀ ଏହି ପଦକ୍ଷେପକୁ ସ୍ୱାଗତ କରି ଏହାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ମତପ୍ରକାଶ କରିଛନ୍ତି। ଏହା ଖଣ୍ଡ ଖଣ୍ଡ ଜଙ୍ଗଲ ସଂରକ୍ଷଣ ଏବଂ ବନ୍ୟଜୀବ ରକ୍ଷା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ଏଥି ପରେ ସ୍ପଷ୍ଟ କରିଛନ୍ତି ଏହିଭଳି ଅବେଧ ଜଙ୍ଗଲ ହତ୍ୟାକୁ ଅଟକାଇବା ପାଇଁ ଆଗାମୀ ଦିନରେ ଆଉ କଠୋର ପଦକ୍ଷେପ ଗ୍ରହଣ କରାଯିବ।
ଏହି ଅଭିଯାନ ଦ୍ୱାରା ଜଙ୍ଗଲ ମାଫିଆଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି – ବେଆଇନ ଜଙ୍ଗଲ କାଟିବା ଏବଂ ପୋଡ଼ି ଚାଷ କରିବା ଅଭିଯୋଗରେ ତିବ୍ର ଚଡ଼ାଉ ଚାଲିବ।