Hot Posts

6/recent/ticker-posts

୨୭ ତାରିଖରେ ବିଧାନସଭା ଘେରାଉ! ରାଜ୍ୟରେ ଅନୀତି ବିରୋଧରେ କଂଗ୍ରେସର କଠୋର ପଦକ୍ଷେପ

ବରଗଡ଼, ୨୩/୩ : ରାଜ୍ୟରେ ମହିଳା ଚାଲାଣ, ଗଣବଳାତ୍କାର ଏବଂ ବଳାତ୍କାର ଘଟଣା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ଅସଫଳତାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବାକୁ ନିଷ୍ପତି ନେଇଛି। ଏହି ଅଭିଯାନ ପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଧାନସଭା ଘେରାଉର ଯୋଜନା ଉପରେ ଚର୍ଚ୍ଚା ହୋଇଛି।

କଂଗ୍ରେସ ନେତାମାନେ କହିଛନ୍ତି ଯେ ବିଧାନସଭାରେ ରାଜ୍ୟରେ ଚାଲିଥିବା ଅନୀତି ଓ ଅପରାଧ ବିରୋଧରେ ସ୍ବର ଉଠାଇବାରୁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶାରୀରିକ ଆକ୍ରମଣ କରାଯାଇଥିଲା। ଏହି ଅଭିଯୋଗକୁ ନଜରଅନ୍ଦାଜ କରି ତାଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଥିଲା। ଏହି ଅନ୍ୟାୟକୁ ମୁକାବିଲା କରିବାକୁ ଏବଂ ଲୋକତନ୍ତ୍ରକୁ ରକ୍ଷା କରିବା ପାଇଁ କଂଗ୍ରେସ ବିଧାନସଭା ଘେରାଉ କରି ରାଜ୍ୟ ସରକାରକୁ ଚାପ ଦେବାକୁ ପ୍ରସ୍ତୁତ।

ବରଗଡ଼ ଜିଲା କଂଗ୍ରେସ କମିଟିର ସଭାପତି ହରଦୀପ ସିଂହଙ୍କ ନେତୃତ୍ୱରେ ଅମ୍ବାପାଳି ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବରିଷ୍ଠ ନେତା ଓ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ମହମ୍ମଦ ଅକବର ଖାନ ଏବଂ ପ୍ରବକ୍ତା ଘାସିରାମ ମାଝି ବୈଠକରେ ଉପସ୍ଥିତ ଥିଲେ।

ଜିଲାର ବରିଷ୍ଠ କଂଗ୍ରେସ ନେତାମାନେ ଏଥିରେ କହିଛନ୍ତି, ରାଜ୍ୟରେ ଚାଲିଥିବା ଅନୀତି, ନାରୀ ସୁରକ୍ଷା ଅଭାବ ଏବଂ ଆପରାଧିକ ପ୍ରବୃତ୍ତି ବୃଦ୍ଧି ପ୍ରତି ରାଜ୍ୟ ସରକାର ଅନ୍ଧା ହୋଇ ରହିଛି। ଏହି ସମସ୍ୟା ନେଇ କଂଗ୍ରେସ ଚୁପ୍‌ ରହିବ ନାହିଁ। ବିଧାନସଭା ଘେରାଉ ପରେ ମଧ୍ୟ ଲଗାତାର ଆନ୍ଦୋଳନ ଜାରି ରହିବ।

୨୭ ତାରିଖ ରାଜ୍ୟରେ କଂଗ୍ରେସର ଏହି ତେଜ ଆନ୍ଦୋଳନ କେମିତି ପ୍ରଭାବ ପକାଇବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଏହି ଅଭିଯାନ ଉପରେ ରହିବ।