Hot Posts

ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ ବୃଦ୍ଧି, ପିଲାମାନଙ୍କ ପୋଷଣ ନେଇ ସରକାରର ନୂଆ ପଦକ୍ଷେପ

 

ଭୁବନେଶ୍ୱର, ୨/୩ : ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଅଣ୍ଡା ଦାମ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁଠି ଅଙ୍ଗନଓ୍ବାଡ଼ି ପିଲାମାନଙ୍କ ପାଇଁ ଅଣ୍ଡା ପ୍ରତିଟି ୫ ଟଙ୍କାରେ ଉପଲବ୍ଧ ଥିଲା, ବର୍ତ୍ତମାନ ସେହି ଦାମ ବୃଦ୍ଧି ପାଇ ୭ ଟଙ୍କା କରାଯାଇଛି। ଏହି ନୂଆ ପଦକ୍ଷେପ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବର୍ତ୍ତମାନ ବଜାରରେ ଅଣ୍ଡା ଦାମ ୮ ଟଙ୍କା ହେବା ସତ୍ତ୍ୱେ, ସରକାର ପୂର୍ବରୁ ୫ ଟଙ୍କା ଦେଉଥିଲା। ଏହି ଦର ଅନ୍ତର ହେତୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପ୍ରତିମାସ ୨୦ଟି ଅଣ୍ଡା ବଦଳରେ ୧୫ଟି ମିଳୁଥିଲା। ଏହାସହିତ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ମାସିକ ୧୨ଟି ଅଣ୍ଡା ଦେବା ନିୟମ ଥିଲେ ମଧ୍ୟ କେଉଁଠି ୮ ଟି, କେଉଁଠି ୯ଟି ଦିଆଯାଉଥିଲା। ଏହି ଅଭିଯୋଗ ବେଶ କିଛି ସମୟ ଧରି ଚଲିଥିଲା।

୨୦୧୮ ପରଠୁ ସରକାର ପିଲାମାନଙ୍କ ପାଇଁ ଡାଏଟ ଚାର୍ଟରେ କୌଣସି ପରିବର୍ତ୍ତନ କରିନଥିଲା। ବଜାର ମୂଲ୍ୟ ବୃଦ୍ଧି ହେତୁ ଅଙ୍ଗନଓ୍ବାଡ଼ି କର୍ମୀମାନେ ସଠିକ ଅଣ୍ଡା ପୋଷଣ ଦେବାରେ ଅସମର୍ଥ ହୋଇଥିଲେ। ମଧ୍ୟକେବେକେବେ ନିଜ ଟଙ୍କା ଖର୍ଚ୍ଚ କରି ଅଣ୍ଡା ପ୍ରଦାନ କରିବାକୁ ପଡ଼ୁଥିଲା। ଏଥିପାଇଁ ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ ବୃଦ୍ଧି ପାଇଁ କର୍ମୀ ଓ ଅଭିଭାବକମାନେ ଦୀର୍ଘଦିନ ଧରି ଦାବି କରୁଥିଲେ।

ଅବଶେଷରେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅଭିଯୋଗ ଏବଂ ଦାବିକୁ ସ୍ବୀକାର କରି ସରକାର ଅଣ୍ଡା ଦାମ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି। ଏଥିସହିତ ପିଲାମାନେ ଓ ଗର୍ଭବତୀ ମହିଳାମାନେ ଯଥାପ୍ରକାର ଅପେକ୍ଷିତ ପୋଷଣ ଉପଲବ୍ଧ କରିପାରିବେ।