Hot Posts

6/recent/ticker-posts

ଓଡ଼ିଶାରେ ଏସ୍‌ସି-ଏସ୍‌ଟି ଉପରେ ଅତ୍ୟାଚାର: ୯ ମାସରେ ୨,୪୮୩ ମାମଲା ପଞ୍ଜିକୃତ

ଭୁବନେଶ୍ୱର, ୨୮/୩ : ରାଜ୍ୟରେ ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ନେଇ ଚିନ୍ତାଜନକ ଆଙ୍କଡ଼ା ଆସିଛି। ଗତ ଜୁନ୍ ୨୦୨୪ ପରଠାରୁ ରାଜ୍ୟର ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ୨,୪୮୩ଟି ମାମଲା ପଞ୍ଜିକୃତ ହୋଇଛି। ଏହି ସୂଚନା ଶୁକ୍ରବାର ଏସ୍‌ସି-ଏସ୍‌ଟି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ରାଜ୍ୟ ବିଧାନସଭାରେ ପ୍ରଦାନ କରିଛନ୍ତି।

ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ଆଙ୍କଡ଼ା ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି ଯେ,

ଜାଜପୁରରେ ସର୍ବାଧିକ ୨୬୯ଟି ମାମଲା ପଞ୍ଜିକୃତ ହୋଇଛି,

କଟକରେ ୧୫୯ଟି ଏବଂ

ଜଗତ୍ସିଂହପୁରରେ ୧୫୭ଟି ଘଟଣା ଘଟିଛି।

ମନ୍ତ୍ରୀ ଏହି ଅପରାଧମାନଙ୍କୁ ଗୁରୁତ୍ୱ ଦେଇ ଏହି ମାମଲାଗୁଡ଼ିକ ତଦନ୍ତ ଡିଏସ୍‌ପି (ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ) ତତ୍ତ୍ୱାବଧାନରେ ହେଉଛି ବୋଲି ଜଣାଇଛନ୍ତି। ଏହି ତଦନ୍ତ ମଧ୍ୟ ଏକ ରାଜସ୍ୱ ବିଭାଗ ଅଧିକାରୀ ଓ ଜଣେ ତଦନ୍ତକାରୀ ପୋଲିସ୍ ଅଧିକାରୀ ମିଳିତ ଭାବରେ କରୁଛନ୍ତି, ଯାହା ନ୍ୟାୟପୂର୍ଣ୍ଣ ଓ ସମୟୋଚିତ ତଦନ୍ତକୁ ସୁନିଶ୍ଚିତ କରେ।

ସେହିପରି ପୀଡିତମାନଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯାଉଥିବା ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ, ଏସ୍‌ସି-ଏସ୍‌ଟି ଲୋକଙ୍କ ସୁରକ୍ଷା ନିମନ୍ତେ ସରକାର ସତର୍କ ଏବଂ କଠୋର ଅବସ୍ଥାନ ଗ୍ରହଣ କରିଛି।