ଭୁବନେଶ୍ୱର,୨୩/୩ : ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ନେଇ ନୂତନ ନିୟମ ଆସିଛି। ଯେଉଁ ୟୁପିଆଇ ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ରହିଛି, ସେମାନେ ଏପ୍ରିଲ ୧ରୁ ୟୁପିଆଇ ଟ୍ରାନ୍ସାକ୍ସନ୍ କରିପାରିବେ ନାହିଁ। ଏହି ପରିବର୍ତ୍ତନ ଆର୍ଥିକ ଠକେଇ ରୋକିବା ଏବଂ ଦୁରୁପଯୋଗ ବନ୍ଦ କରିବା ପାଇଁ ଏଣ୍ପିସିଆଇ (ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ) ପକ୍ଷରୁ ଅମଲ ହେଉଛି।
ଯେଉଁ ଉପଭୋକ୍ତାମାନଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ସହ ଲିଙ୍କ୍ ଅଛି କିନ୍ତୁ ବହୁଦିନ ଧରି ବ୍ୟବହାର ହୋଇନାହିଁ, ମୋବାଇଲ ନମ୍ବର ବଦଳି ହୋଇଛି କିମ୍ବା ବନ୍ଦ ହୋଇଛି, ସେମାନଙ୍କ ୟୁପିଆଇ ସେବା ବନ୍ଦ ହୋଇଯିବ। ଗୁଗଲ ପେ, ଫୋନ ପେ, ପେଟିଏମ ଭଳି ୟୁପିଆଇ ଆପ୍ ଏହି ନମ୍ବରଗୁଡ଼ିକୁ ସ୍ୱତଃ ଅପସାରଣ କରିଦେବ।
ମୋବାଇଲ ନମ୍ବର ରେଗୁଲାର ଭାବରେ ଚେକ୍ କରିବାକୁ ବ୍ୟାଙ୍କ ଓ ୟୁପିଆଇ ସେବାଦାତାମାନଙ୍କୁ ନିର୍ଦ୍ଦେଶ ମିଳିଛି।
ସନ୍ଦିଗ୍ଧ ଏବଂ ନିଷ୍କ୍ରିୟ ନମ୍ବର ଡିଆଇପି (ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟ୍ଫର୍ମ) ଓ ଏମ୍ଏନ୍ଆର୍ଏଲ୍ (ମୋବାଇଲ ନମ୍ବର ରିଭୋକେସନ ଲିଷ୍ଟ) ମାଧ୍ୟମରେ ଟ୍ରାକ୍ କରାଯିବ।
ମାର୍ଚ୍ଚ ୩୧ ରେ ଡାଟା ବେସ୍ ଅପ୍ଡେଟ୍ କରିବା ଅନିବାର୍ଯ୍ୟ।
ଆପଣଙ୍କ ୟୁପିଆଇ ଏକାଉଣ୍ଟ୍ ଚାଲୁ ରଖିବା ପାଇଁ କଣ କରିବେ?
ମୋବାଇଲ ନମ୍ବର ଯଦି ବଦଳି ହୋଇଥାଏ, ଏପ୍ରିଲ ୧ ପୂର୍ବରୁ ବ୍ୟାଙ୍କ ସହ ଅପ୍ଡେଟ୍ କରନ୍ତୁ।
ନିଷ୍କ୍ରିୟ ମୋବାଇଲ ନମ୍ବରକୁ ପୁନଃ ସକ୍ରିୟ କରନ୍ତୁ।
ୟୁପିଆଇ ଏକାଉଣ୍ଟ ଚେକ୍ କରି ନୂତନ ନିୟମ ଅନୁଯାୟୀ ଅପ୍ଡେଟ୍ କରନ୍ତୁ।
ଯଦି ଆପଣ ଏହି ପଦକ୍ଷେପ ନ ନେବେ, ତାହାହେଲେ ଏପ୍ରିଲ ୧ ପରଠୁ ୟୁପିଆଇ ଟ୍ରାନ୍ସାକ୍ସନ୍ କରିପାରିବେ ନାହିଁ। ସୁରକ୍ଷିତ ଏବଂ ସମସ୍ୟାମୁକ୍ତ ଟ୍ରାନ୍ସାକ୍ସନ୍ ପାଇଁ ଏବେଠାରୁ ପ୍ରସ୍ତୁତ ହୁଅନ୍ତୁ!