ଛେଣ୍ଡିପଦା,୧୫/୩ : ଅନୁଗୋଳ ଜିଲାର ନିଶା ଶିଳ୍ପାଞ୍ଚଳ ଅଞ୍ଚଳରେ ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାତ୍ର ୫ ବର୍ଷର ଏକ ଶିଶୁ କନ୍ୟାଙ୍କ ମୃତଦେହ ମହୁଲ ଗଛ ମୂଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିବା ଘଟଣାରେ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଏହି ଘଟଣା ବଳାତ୍କାର ପରେ ହତ୍ୟା ହୋଇଥିବାର ସନ୍ଦେହ ଜୋର ଧରିଛି।
ଗୁରୁବାର ମଧ୍ୟାହ୍ନରେ କଙ୍କରେଇ ପିଢଖମଣ ଗାଁର ଏହି ଶିଶୁ କନ୍ୟା ହଠାତ୍ ଅନ୍ତର୍ଧାନ ହୋଇଥିଲେ। ଘରୋଇ ଲୋକ ସମ୍ଭାବ୍ୟ ସମସ୍ତ ଜାଗାରେ ଖୋଜିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଶେଷରେ, ଶୁକ୍ରବାର ନିଶା ଶିଳ୍ପାଞ୍ଚଳ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଶନିବାର, ଶିଶୁ କନ୍ୟାଙ୍କ ଘରଠାରୁ ୧୦୦ ମିଟର ଦୂରରେ ଏକ ମହୁଲ ଗଛ ମୂଳରେ ମୃତଦେହ ପଡିଥିବା ଦେଖିଥିଲେ ଗ୍ରାମବାସୀ। ଖବର ମିଳିବା ସହିତ, ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ଏବଂ ସାଇଣ୍ଟିଫିକ ଟିମ୍ ସହାୟତାରେ ଅନୁସନ୍ଧାନ ଆରମ୍ଭ କରିଛି।
ଘଟଣା ସହିତ ସମ୍ପୃକ୍ତ ଏକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ କରିଛି। ତାଙ୍କ ଘର ରକ୍ତ ଛିଟା ମିଳିଥିବାରୁ ଘଟଣା ଅଧିକ ଗଭୀର ଅନୁସନ୍ଧାନ ଚାଲିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଷ ସୃଷ୍ଟି କରିଛି ଏବଂ ସେମାନେ ଦୋଷୀଙ୍କ ରିହାୟତି ବିନା ଦଣ୍ଡ ଦେବାକୁ ଦାବି କରୁଛନ୍ତି।
ପୋଲିସ ଘଟଣାର ରହସ୍ୟ ଉଦ୍ଘାଟନ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରଖିଛି ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁର ଅସଲ କାରଣ ଜାଣିବା ପାଇଁ ପୋଷ୍ଟମର୍ଟେମ ରିପୋର୍ଟ ଅପେକ୍ଷା କରୁଛି। ଏହି ଦୁଃଖଦ ଘଟଣା ମନୁଷ୍ୟତାକୁ ଅପମାନିତ କରିଦେଇଛି ଏବଂ ନ୍ୟାୟ ପାଇଁ ଅଞ୍ଚଳରେ ଦାବି ବଢ଼ିଯାଇଛି।