Hot Posts

6/recent/ticker-posts

ତୃଣମୂଳ ଗଣତନ୍ତ୍ର ଉପରେ ଅମଲାତନ୍ତ୍ରର ହସ୍ତକ୍ଷେପ ହୋଇପାରିବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨/୩ :  – ଗ୍ରାମ ପଞ୍ଚାୟତ ଓ ତୃଣମୂଳ ସ୍ତରର ଜନତାଙ୍କ ଅଧିକାରକୁ ବ୍ୟର୍ଥ କରିବାକୁ ଅମଲାମାନଙ୍କ ଅସଦାଚରଣକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ କରିଛି। ମଙ୍ଗଳବାର, ଏକ ମାମଲାର ଶୁଣାଣି ସମୟରେ ଦେଶର ସର୍ବୋଚ୍ଚ ଅଦାଲତ କହିଛି ଯେ, ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଯୋଗ୍ୟ କରିବା ଏବଂ ପଦଚ୍ୟୁତ କରିବା ପାଇଁ ଅମଲାମାନେ ଯେଉଁପରି ରଣନୀତି ଆପଣାଇବାକୁ ଚେଷ୍ଟା କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଏକ ଗଭୀର ଆଶଙ୍କାଜନକ ପ୍ରବଣତା।

ଏହି ମାମଲା ମହାରାଷ୍ଟ୍ରର ରାଇଗଡ଼ ଜିଲା ରୋହା ବ୍ଲକର ଐଘର ଗ୍ରାମ ପଞ୍ଚାୟତ ସରପଞ୍ଚ କଳାବତୀ ରାଜେନ୍ଦ୍ର କୋକାଲେଙ୍କୁ ନେଇ ଥିଲା। ଗତ ବର୍ଷ ଜୁନ୍ ୭ରେ ଜିଲାପାଳଙ୍କ ଆଦେଶ ଅନୁସାରେ, ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହି ଆଦେଶ ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ, ଯେଉଁଥିରେ ହାଇକୋର୍ଟ ତାଙ୍କ ପଦ ପୁନଃସ୍ଥାପନ କରିଥିଲା।

ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖି ଏହାକୁ ଗୁରୁତ୍ୱପୂର୍ଣ୍ଣ ରାୟ ବୋଲି ବର୍ଣ୍ଣନା କରିଛି। ଏହା ସହ, ଅଦାଲତ ଏହି ପ୍ରବଣତା ଉପରେ ଚିନ୍ତା ବ୍ୟକ୍ତ କରି ତୃଣମୂଳ ସ୍ତରର ନେତୃତ୍ୱକୁ ଅପହସ କରିବାର ଏହି ଚେଷ୍ଟାକୁ ଗଣତନ୍ତ୍ର ପାଇଁ ବିପଦ ସୂଚକ ବୋଲି କହିଛି।

ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଏବଂ ଏନ୍‌ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛି, ଏପରି ଘଟଣା ମାତ୍ର ମହାରାଷ୍ଟ୍ର ନୁହେଁ, ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବଢ଼ି ଚାଲିଛି। ଏହି ପ୍ରବଣତା ଜନତାଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ସ୍ୱାଧୀନତାକୁ ହୃସ୍ତ କରିବାରେ ଅମଲାମାନଙ୍କ ଏକ ଅଭିଯାନ ରୂପେ ଦେଖାଯାଉଛି।

ନ୍ୟାୟାଳୟ ଏହି ଅଫିସରମାନଙ୍କୁ ଚେତାବନୀ ଦେଇ କହିଛି, ନିର୍ବାଚିତ ପ୍ରତିନିଧିମାନଙ୍କ ଅଧୀନରେ ରହି କାମ କରିବା ଏବଂ ସେମାନଙ୍କ ପ୍ରଶାସନିକ ଅଧିକାରକୁ ସମ୍ମାନ କରିବା ଅତ୍ୟାବଶ୍ୟକ। "ତୃଣମୂଳ ସ୍ତରର ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଅମଲାମାନଙ୍କୁ ଅନୁମତି ଦିଆଯିବ ନାହିଁ," ବୋଲି ଅଦାଲତ ଜଣାଇଛି।