ଭୁବନେଶ୍ୱର, ୨୮/୩ : ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଶୂନ୍ୟକାଳରେ ତିବ୍ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଲା ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ବିଧାୟକଙ୍କ ପେନସନ। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ସଂସଦୀୟ ଦରମା ବୃଦ୍ଧି ନେଇ ଏକମତ ଜଣାଇ ଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟାନ୍ବୟନ କରିବାକୁ ଦାବି କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ବର୍ତ୍ତମାନ ବଜାର ଦର ଓ ମେଡିସିନ ଖର୍ଚ୍ଚ ବଢ଼ିଛି, କିନ୍ତୁ ପୂର୍ବତନ ବିଧାୟକଙ୍କ ପେନସନ ପର୍ଯ୍ୟାପ୍ତ ନୁହେଁ। ତେଣୁ ବିଧାୟକ ଏବଂ ପୂର୍ବତନ ବିଧାୟକମାନଙ୍କ ପାଇଁ ଅଧିକ ରାଶି ନିର୍ଦ୍ଦିଷ୍ଟ କରାଯିବା ଅତି ଆବଶ୍ୟକ।"୨୦୧୭ରେ ଶେଷ ଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି ହୋଇଥିଲା। ୨୦୫ ପର୍ଯ୍ୟନ୍ତ ଏହା ଅପେକ୍ଷାକୃତ ଅଧିକ ବୃଦ୍ଧି ଦରକାର ବୋଲି ସେ ଦାବି କରିଛନ୍ତି।
ଭାଜପା ବିଧାୟକ ପୂର୍ଣ୍ଣ ସେଠୀ ମଧ୍ୟ ଏହି ଦାବିକୁ ଜୋରଦାର କରି କହିଛନ୍ତି, "ମୁଁ ନିଜେ ଏହି ଅନୁଭବ ନେଇଛି। ଏକ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ ହୋଇଛି। ବିଧାୟକଙ୍କ ପାଇଁ ଅଲଗା କମିଶନ ନଥିବାରୁ ଆମେ କେବଳ ମଢେଇ କମିଟି ସହିତ ଆଶା କରିଛୁ।"ସେ ଅନୁରୋଧ କରିଛନ୍ତି, "ସରକାର ଜୁନ୍ ମାସରୁ ପିଛିଲା ଭାବେ ବୃଦ୍ଧି ଲାଗୁ କରିବା ଉଚିତ।"
ମଢେଇ କମିଟି ଅଧ୍ୟକ୍ଷ ଭାସ୍କର ମଢେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି, "କେତେକ ପୂର୍ବତନ ବିଧାୟକ ଘରବାସୀ ଅଛନ୍ତି। ସେମାନଙ୍କ ପାଖରେ ମୂଳଭୂତ ସୁବିଧା ମଧ୍ୟ ନାହିଁ। ବିଧାୟକମାନେ ବହୁ କର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜନସେବା କରନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅପେକ୍ଷାକୃତ କମ।"
ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ସଦସ୍ୟଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଏବେ ବିଧାନସଭାର ଏକ ଗମ୍ଭୀର ବିଷୟ ହୋଇପଡ଼ିଛି। ଏହି ଦାବିକୁ ଗ୍ରହଣ କରି ସରକାର କିପରି ପଦକ୍ଷେପ ନେବ ଏହା ଏବେ ଦେଖିବାକୁ ପଡ଼ିବ।