କଟକ, ୧୮/୩ : ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛି ଯେ, ଯଦି କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥାଏ କିମ୍ବା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ, ତାହାହେଲେ ମଧ୍ୟ ସେମାନେ ଅବସର ପରେ ତାଙ୍କ ବକେୟା ଛୁଟିର ଦରମା ପାଇବେ। ଏହି ଅଧିକାର କୌଣସି ମାମଲା ଆଳରେ ଅଗ୍ରାହ୍ୟ କରାଯାଇପାରିବ ନାହିଁ।
ନ୍ୟାୟାଧୀଶ ଆଦିତ୍ୟ କୁମାର ମହାପାତ୍ରଙ୍କ ଅଧିନ ଥିବା ଏକକ ବେଞ୍ଚ ଏହି ରାୟ ଦେଇ ଏହି ମାମଲାରେ ଅବସରପ୍ରାପ୍ତ ମୋଟର ଯାନ ଇନ୍ସପେକ୍ଟର ଚିତ୍ତରଞ୍ଜନ ସେନାପତିଙ୍କ ପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସେ ୨୦୨୪ ଏପ୍ରିଲ ୩୦ ରେ ଅବସର ଗ୍ରହଣ କରିଥିଲେ ଏବଂ ବକେୟା ଛୁଟି ଦରମା ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର, ତାଙ୍କ ବିରୋଧରେ ଚାଲୁଥିବା ଭିଜିଲାନ୍ସ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦେଖାଇ ତାଙ୍କ ଦାବିକୁ ଅସ୍ୱୀକାର କରାଯାଇଥିଲା।
ଫଳରେ, ସେ ହାଇକୋର୍ଟରେ ଆବେଦନ କଲେ। ହାଇକୋର୍ଟ ଚିତ୍ତରଞ୍ଜନ ସେନାପତିଙ୍କ ବକେୟା ଦାବିକୁ ଗ୍ରହଣ କରି ୨ ମାସ ମଧ୍ୟରେ ତାଙ୍କୁ ୩୦୦ ଦିନର ବକେୟା ଛୁଟି ଦରମା ପ୍ରଦାନ କରିବାକୁ ଅନୁଶାସନା ଦେଇଛି।ଏହି ରାୟ ଦ୍ୱାରା ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ଯେ, କୌଣସି କର୍ମଚାରୀଙ୍କ ବକେୟା ଅଧିକାର ଉପରେ ବିଭାଗୀୟ ଅନୁଶୋଧନ କିମ୍ବା ଭିଜିଲାନ୍ସ ମାମଲା ଅଟକାଇପାରିବ ନାହିଁ।