କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ ଦିନ ମାତ୍ରା ନିଲମ୍ବନ କରିବା ଘଟଣା ରାଜନୈତିକ ରଂଗ ନେଇଛି। ଏଥିରେ ଅସନ୍ତୁଷ୍ଟ ହୋଇ ତାଙ୍କ ଦଳ ବିଧାନସଭା ବୟକଟ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଛି। କଂଗ୍ରେସର ଦାବି – ଏହି ନିଲମ୍ବନ ଏକ ରାଜନୈତିକ ପ୍ରତିଶୋଧ ଏବଂ ବିରୋଧୀ ଦଳର ଉପରେ ଦବାବ ପ୍ରୟୋଗ। ଏହି ଘଟଣା ନେଇ କଂଗ୍ରେସ ପକ୍ଷରୁ ଏହି ୨୭ ତାରିଖରେ ବିଧାନସଭା ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପିସିସି ସଭାପତି ଭକ୍ତ ଦାସ, ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଏବଂ ବରିଷ୍ଠ ନେତାମାନେ ଏକ ବୈଠକ କରି ଭାଜପାକୁ ତୀବ୍ର ସମାଲୋଚନା କରିଛନ୍ତି। ଅଭିଯୋଗ କରାଯାଇଛି ଯେ ଭାଜପା ସରକାର ନାରୀ ନିର୍ଯାତନା ଏବଂ ଅପରାଧ ରୋକିବାରେ ବିଫଳ ହୋଇଛି। ସଂସଦରେ କଂଗ୍ରେସ ଏମ୍ପି ସପ୍ତଗିରି ଉଲାକା ଏହି ଘଟଣା ଉଠାଇ ଏକ ତଦନ୍ତ କମିଟି ଗଠନ କରିବାକୁ ଦାବି କରିଛନ୍ତି।
କଂଗ୍ରେସ ନେତୃତ୍ୱ ଏହାକୁ ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପ ଦେବା ପାଇଁ ପ୍ରସ୍ତୁତ। ଜିଲାପାଳ କାର୍ଯ୍ୟାଳୟ ଘେରାଉ, ରାଜ୍ୟ ଅନ୍ଦୋଳନ, ଏବଂ ବିଧାନସଭା ଘେରାଉ ଏହାର ଅଂଶ ରହିବ। ଏହି ଘଟଣା ଓଡ଼ିଶାରେ ରାଜନୈତିକ ତାପମାତ୍ରାକୁ ଅଧିକ ବୃଦ୍ଧି କରିଦେଇଛି।