ଯାଜପୁର, ୬/୩ : ଯାଜପୁର ଜିଲ୍ଲା ବାସୁଦେବପୁର ପଞ୍ଚାୟତ ଅଧୀନ ଜାଲପୁର ଗାଁରେ ଗୁରୁବାର ଏକ ଭୟାବହ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଘର ଛାତ ଉଡିଯାଇଥିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ସୂଚନା ଅନୁସାରେ, ଘରେ ବାଣ ତିଆରି କରୁଥିବା ବେଳେ ହଠାତ୍ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଏକ ଘରର ଛାତ ଉଡିଯାଇଥିଲା ଏବଂ ଚାରିପଟେ ଉଡ଼ୁଥିବା ଅଂଶରେ ଅନେକ ଲୋକ ଆହତ ହୋଇଥିଲେ। ଘଟଣା ପରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଆହତମାନଙ୍କୁ ଉଦ୍ଧାର କରି ଉପଚାର ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ଏହି ଘଟଣା ପୂର୍ବରୁ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ। ସେମାନେ ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା ଏବଂ ଘରର ଅନେକ ଅଂଶ ଧ୍ଵଂସ ହୋଇଯାଇଥିଲା।
ଏହି ଦୁଇଟି ଘଟଣା କୌଣସି ଅବୈଧ ବାଣ ଏବଂ ବିସ୍ଫୋରକ ସାମଗ୍ରୀ ସଂଗ୍ରହ ନାକି ଅନ୍ୟ କୌଣସି କାରଣ ଯୋଗେ ଘଟିଛି, ତାହା ଖତିଆନ କରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପ୍ରବଳ ହୋଇଛି ଏବଂ ଲୋକମାନେ ଭୟ ଭିତରେ ଅଛନ୍ତି।