ପାଟଣା, ୬/୩ : ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ସରକାରୀ ଛୁଟି ଏବଂ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନହେବା ନେଇ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ନେତୃତ୍ବ ଆନ୍ଦୋଳନ କରିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ଯ୍ୟକର୍ତ୍ତାମାନେ ପ୍ରତିବାଦ ସଭା ଏବଂ କୁଶପୁତ୍ତଳିକା ଦାହ କରିଥିଲେ।
ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ରାଧାକାନ୍ତ ନାଏକ, ବରିଷ୍ଠ ନେତା ଦୀପକ ରାଜ, କୃଷ୍ଣଚନ୍ଦ୍ର ମହାପାତ୍ର, ଭାଗିରଥୀ ଦାଶ, ପ୍ରସନ୍ନ ରାଜ ଏବଂ ଅନେକ ଯୁବ ନେତାମାନେ ଉପସ୍ଥିତ ରହିଥିଲେ। ସମସ୍ତେ ଭାଜପା ବିରୋଧରେ ଜୋରଦାର ସ୍ଲୋଗାନ ଦେଇଥିଲେ।
ବିଜେଡି ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଣୟର ତିବ୍ର ବିରୋଧ କରି ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେମାନଙ୍କ ଦାବି ବିଜୁ ପଟ୍ଟନାୟକ ଓଡ଼ିଶାର ଏକ ବଡ଼ ଅଂଶରେ ଆଦର୍ଶ ରୂପେ ପରିଚିତ ଅଟନ୍ତି, ତେଣୁ ତାଙ୍କ ଜୟନ୍ତୀ ସରକାରୀ ଛୁଟି ଏବଂ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେବା ଉଚିତ।
ଏହି ପ୍ରତିବାଦ ପରେ ରାଜ୍ୟରେ ରାଜନୈତିକ ଉତ୍ତେଜନା ଆଉ ଅଧିକ ବଢ଼ିପାରେ। ଏଥିପାଇଁ ଭାଜପାର ପ୍ରତିକ୍ରିୟା ଏବଂ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବ ସେଥିପାଇଁ ଦେଶବାସୀ ଅପେକ୍ଷା କରୁଛନ୍ତି।