ଗୋପାଳପୁର ୧୪/୩ : ରାଜ୍ୟରେ ଅବୈଧ ଭାବରେ ମୋରମ ଚୋରା ଚାଲାଣକୁ ନେଇ ପୋଲିସର କଡ଼ା ପଦକ୍ଷେପ। ଶୁକ୍ରବାର ଭୋର ସମୟରେ ଗୋଳନ୍ଥରା ଥାନା ପୋଲିସ ଚଡ଼ାଉ କରି ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଚାଳକଙ୍କୁ ଗିରଫ କରି କୋର୍ଟକୁ ପ୍ରେରଣ କରିଛି। ଏହି ଅଭିଯାନ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଥିଲା।
ପୋଲିସ ତଦନ୍ତ ଅନୁସାରେ, ଗିରଫ ଅଭିଯୁକ୍ତମାନେ ଗୋଳନ୍ଥରା ଚଟି ଗ୍ରାମର ଏଚ୍. ଶିବ ଶଙ୍କର (୩୨) ଏବଂ ଭଞ୍ଜନଗର ଥାନା ଅଧୀନ କୋଇଣ୍ଡି ଗ୍ରାମର ଟି. ଗିରିଧାରୀ। ଥାନା କେଶ ନମ୍ବର ୧୦୮ ଓ ୧୦୯/୨୫ ଅନୁସାରେ ସେମାନଙ୍କୁ ଗିରଫ କରିବା ପରେ କୋର୍ଟକୁ ପ୍ରେରଣ କରାଯାଇଛି।
ପୋଲିସ ଅନୁସନ୍ଧାନରେ ଜଣାପଡ଼ିଛି ଯେ ଗୋଳନ୍ଥରା ଅଞ୍ଚଳରେ ଗତ କିଛି ଦିନ ଧରି ମୋରମ ଚୋରା ଚାଲାଣ ଏକ ର୍ୟାକେଟ୍ ସକ୍ରିୟ ଅଛି। ଏହି ଅବୈଧ ଚାଲାଣ ନେଇ ପ୍ରାୟ ଅନେକ ଅଭିଯୋଗ ଉଠିଥିଲା, କିନ୍ତୁ ଖଣି ବିଭାଗ ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା।
ଶୁକ୍ରବାର ଭୋର ସମୟରେ, ସିଂହଳା ଗ୍ରାମରୁ ହାଇୱା ଏବଂ ଟିପର ଯୋଗେ ମୋରମ ଚୋରା ଚାଲାଣ ହୋଇଥିବା ସୂଚନା ପାଇ ଥିଲା ଗୋଳନ୍ଥରା ପୋଲିସ। ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଚଡ଼ାଉ କରି ଦୁଇଟି ଗାଡ଼ି ଜବତ କରିଥିଲେ। ଚାଳକମାନେ ହାଇୱା ଏବଂ ଟିପର ର କୌଣସି ବୈଧ କାଗଜପତ୍ର ପ୍ରଦାନ କରିପାରି ନଥିଲେ। ଏହି ଉପରେ ସମ୍ପୃକ୍ତ ଚାଳକମାନଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ଚୋରା ମୋରମ ଚାଲାଣ ଉପରେ ଅଧିକ ଚଡ଼ାଉ ଜୋରଦାର କରାଯିବ। ଏହି ର୍ୟାକେଟ୍ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ ଖବରଦାରୀ ଚଲିଛି।
ପୋଲିସ ଜନସାଧାରଣଙ୍କୁ ଆହ୍ୱାନ କରି କହିଛି ଯେ ଯଦି ଅବୈଧ ଚୋରା ଚାଲାଣ ବିଷୟରେ କୌଣସି ସୂଚନା ମିଳେ, ତେବେ ତୁରନ୍ତ ଥାନାକୁ ଜଣାଇବେ। ଏହି ଅଭିଯାନ ଦ୍ୱାରା ଅଞ୍ଚଳରେ ଚୋରା ଖନନ ଓ ଅବୈଧ ଚାଲାଣକୁ ରୋକିବା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।