Hot Posts

6/recent/ticker-posts

ଓଡ଼ିଶାରେ କାଳବୈଶାଖୀ ର ତାଣ୍ଡବ ! ବର୍ଷା-ଘଡ଼ଘଡ଼ିରେ କମିଲା ତାପମାତ୍ରା

ଭୁବନେଶ୍ୱର, ୨୩/୩ : ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇଛି। ଗତ ୨ ଦିନ ଧରି ଅନେକ ଜିଲାରେ ଶକ୍ତିଶାଳୀ ପବନ, ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହୋଇ ଚାଲିଛି। ବାରିପଦାରେ ସର୍ବାଧିକ ୧୨୩.୪ ମି.ମି.

ବର୍ଷା ରେକର୍ଡ ହୋଇଥିବା ବେଳେ, ବାଲେଶ୍ୱର (୩୩.୪ ମି.ମି.), ରାଉରକେଲା (୩୦.୬ ମି.ମି.), ଅନୁଗୋଳ (୨୩ ମି.ମି.), କଟକ (୨୧.୨ ମି.ମି.) ଏବଂ ତାଳଚେର (୧୭.୮ ମି.ମି.) ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।

ଭୁବନେଶ୍ୱରରେ ମଧ୍ୟ ଘଞ୍ଚାଟୋପ ପରିବେଶ, କୋହଲା ପାଗ ଏବଂ ଝିପିଝିପି ବର୍ଷା ଲାଗି ରହିଛି। ଏଠି ୩ ମି.ମି. ବର୍ଷା ରେକର୍ଡ ହୋଇଛି। ଆସନ୍ତା ୩ ଦିନ ରାଜ୍ୟରେ ଏହି ବାତାବରଣ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି।

ଏଲାର୍ଟ ଜାରି:

ଅରେଞ୍ଜ ଓ୍ବାର୍ନିଂ: ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଏବଂ ଆସପାସ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ହେବ। ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏବଂ ୫୦-୬୦ Kmph ବେଗରେ ପବନ ବହିପାରେ।

ୟେଲୋ ଓ୍ବାର୍ନିଂ: ଅନ୍ୟ ୧୪ ଟି ଜିଲାକୁ ସାବଧାନ ସୂଚନା ଜାରି କରାଯାଇଛି।

କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଦୁଇଦିନରେ ୮ ଡିଗ୍ରୀ କମିଛି। ଏହାପୂର୍ବରୁ ରାଜ୍ୟରେ ୪୪ ଡିଗ୍ରୀ ସେଲସିୟସ୍‌ ନିକଟବର୍ତ୍ତୀ ତାପମାତ୍ରା ରହିଥିଲା। ବର୍ତ୍ତମାନ ଭବାନୀପାଟଣାରେ ୩୫.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିଲା, ଏବଂ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୬.୧ ଡିଗ୍ରୀ ସେଲସିୟସ୍‌ ରହିଛି।

ପରିସ୍ଥିତି ସମ୍ଭାଳିବାକୁ ପ୍ରଶାସନ ତତ୍ପର, ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ।