ଭୁବନେଶ୍ୱର, ୧୯/୩ : ମାଗଣା ବିଜୁଳି ଯୋଜନା ନେଇ ରାଜ୍ୟ ସରକାର ବିଧାନସଭାରେ ବଡ଼ ସୂଚନା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରତି ରାଜ୍ୟରେ ଆଗ୍ରହ ବେଶି ବଢୁଛି ବୋଲି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୯୩,୩୬୭ ଜଣ ଲୋକ ଏହି ଯୋଜନାର ସୁବିଧା ପାଇଁ ପଞ୍ଜୀକରଣ କରିସାରିଛନ୍ତି। ଏଥିମଧ୍ୟରୁ ୨,୭୪୦ ଜଣ ହିତାଧିକାରୀ ଯୋଜନାର ଲାଭ ପାଇଛନ୍ତି। ଏହି ଯୋଜନା ସୁଚାଳୁ ରହିବା ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛି।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥି ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରି ପ୍ରଶ୍ନ କରିଥିଲେ, ଏପର୍ଯ୍ୟନ୍ତ କେଉଁଠି କେତେ ଲୋକ ଏହି ଯୋଜନାର ସୁବିଧା ଉପଭୋଗ କରିଛନ୍ତି ଏବଂ ଏହି ଆବେଦନ ପ୍ରକ୍ରିୟା କେଉଁଠି ଅଛି? ଏହି ପ୍ରଶ୍ନର ଉତ୍ତର ଉପ-ମୁଖ୍ୟମନ୍ତ୍ରୀ ରଖିଥିଲେ।ସରକାରୀ ତଥ୍ୟ ଅନୁଯାୟୀ, ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅନେକ ପରିବାର ଆତ୍ମନିର୍ଭର ହେବାର ସୁଯୋଗ ପାଇବେ। ମୂଳତଃ ଗରିବ ଏବଂ ମଧ୍ୟମ ବର୍ଗୀୟ ପରିବାର ଏହି ଯୋଜନାରୁ ସର୍ବାଧିକ ଲାଭାନ୍ବିତ ହେବେ। ଖର୍ଚ୍ଚ କମିବ ଏବଂ ନିଜ ଘରେ ନିଜ ବିଦ୍ୟୁତ ଉତ୍ପାଦନ କରିପାରିବେ।ଏହି ଯୋଜନା କେତେ ସଫଳ ହେବ ଏବଂ ଆଗାମୀ ଦିନରେ କିପରି ଅଧିକ ଲୋକଙ୍କୁ ଏଥିରେ ସାମିଲ କରିହେବ, ଏହା ଦେଖିବା ଉଚିତ୍।