ଭଦ୍ରକ RMC ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ, ଅଗ୍ନିଶମ କର୍ମଚାରୀ ଆହତ
ଭଦ୍ରକ, ୪.୩: ଭଦ୍ରକ ପୁରୁଣା ବଜାର ଥାନା ନିକଟ ବାଇପାସ୍ରେ ଅବସ୍ଥିତ RMC ମାର୍କେଟରେ ମଙ୍ଗଳବାର ଦିନ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ଘଟିଥିବା ଏହି ଭୟଙ୍କର ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚିତ ହୋଇଛି।ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିଭାଇବାରେ ଲାଗିଥିଲେ। ହେଲେ ତାଙ୍କୁ ବହୁତ ପ୍ରତିକୂଳ ପରିସ୍ଥିତି ସମ୍ମୁଖୀନ ହୋଇବାକୁ ପଡିଥିଲା। ଧୂଆଁର ଘନତା ଅଧିକ ଥିବାରୁ ନିଆଁ ଲିଭାଇବା ଅତି କଠିନ ହୋଇଥିଲା। ଏହି ଅଭିଯାନ ସମୟରେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ରଶ୍ମି ରଞ୍ଜନ ସ୍ବାଇଁ ଗୁରୁତର ଭାବରେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି।ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ, ଶର୍ଟ ସର୍କିଟ୍ ହେବା ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।ଏହି ଘଟଣା ସ୍ଥାନୀୟ ବ୍ୟବସାୟୀ ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ନିଆଁ ଜଳି ଯିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ତଦନ୍ତ ଆରମ୍ଭ କରାଯାଇଛି।