ବ୍ରହ୍ମପୁର, ୧୨/୪ :ଏକ ଚମତ୍କାର ଅଭିଯାନରେ ବ୍ରହ୍ମପୁର ପୋଲିସ ଏବଂ ସାଇବର ଶାଖା ଅଧିକାରୀମାନେ ଗତ ଫେବୃଆରୀରେ ଠକାଯାଇଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ମାମଲାରେ ଗୁଜୁରାଟରୁ ଦୁଇ ଜଣ ସାଇବର ଠକକୁ ଗିରଫ କରିଛନ୍ତି।ଏହି ଠକେଇ ଘଟଣାରେ, ଏକ ଅଜଣା ନମ୍ବରରୁ ଫୋନ କରି ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଫିସର ବୋଲି ପରିଚୟ ଦେଇଥିବା ଠକମାନେ କୁଳପତିଙ୍କୁ ଭୟ ଦେଖାଇ ୧୪ ଲକ୍ଷ ଟଙ୍କା ଠକିନେଇଥିଲେ। ତାଙ୍କୁ କୁହାଯାଇଥିଲା ଯେ, ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବେଆଇନ ଟଙ୍କା ଲେନଦେନ ହୋଇଛି ଓ ତେଣୁ ଡିଜିଟାଲ ଆରେଷ୍ଟ କରାଯାଇଛି।କୁଳପତି ଅଭିଯୋଗ ଦେଇଥିବା ପରେ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍.ଙ୍କ ନିର୍ଦ୍ଦେଶରେ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠିତ ହୋଇ ଗୁଜୁରାଟର ଭାବାନଗର ନିଲମବାଗ ଥାନା ଅଞ୍ଚଳରୁ ଭୂତେୟା ଜେନିଲ ଜୟସୁଖଭାଇ (୨୩) ଓ ବିଶ୍ୱଜିତସିନା ଗୋହିଲ (୨୧)ଙ୍କୁ ଗିରଫ କରିଛି।ଅଭିଯୁକ୍ତଙ୍କୁ ଭାବାନଗର ସିଜେଏମ୍ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡ ନେଇ ବ୍ରହ୍ମପୁରକୁ ଆଣାଯାଇଛି। ସେମାନଙ୍କ ନିକଟରୁ ଠକେଇରେ ବ୍ୟବହୃତ ମୋବାଇଲ, ସିମ୍ କାର୍ଡ, ଆଧାର କାର୍ଡ ଓ ବିଭିନ୍ନ ଗ୍ୟାଜେଟ ଜବତ କରାଯାଇଛି।ଏସ୍ଡିଜେଏମ୍ କୋର୍ଟରେ ହାଜର କରି ପରେ ଦୁଇ ଅଭିଯୁକ୍ତଙ୍କୁ ଜୁଡିସିଆଲ୍ ହାଜତକୁ ପଠାଯାଇଛି। ମାମଲା ନଂ. ୧୫/୨୫ ଅନୁଯାୟୀ ତଦନ୍ତ ଜାରି ଅଛି ବୋଲି ପୋଲିସ ପକ୍ଷରୁ ସୂଚିତ କରାଯାଇଛି।ଏହି ଘଟଣା ପୁଣିଥରେ ଦେଶରେ ବଢ଼ୁଥିବା ସାଇବର ଠକେଇ ଓ ନେଟ ଠକର ସଂକଟକୁ ଆଲୋକିତ କରିଛି।