ଦିଗପହଣ୍ଡି, ୧୦/୪ : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଂତର୍ଗତ ଡେଙ୍ଗାଓସ୍ତା ଗ୍ରାମର ମୁଖ୍ୟ ରାସ୍ତା ଧାରରେ ଅବସ୍ଥିତ ପବିତ୍ର କୁମାର ବିଷୋୟୀଙ୍କ ସୁନା ଗହଣା ଦୋକାନରେ ଗତ କାଲି ଦିନଦହାଡେ ଥ୍ରିଲ୍ ଫିଲ୍ମ ଶୈଳୀରେ ଏକ ଲୁଟ କାଣ୍ଡ ଘଟିଛି।ପ୍ରାୟ ୧୨ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ହିନ୍ଦୀ ଭାଷାରେ କଥାହୋଇ ଜଣେ ଗ୍ରାହକ ଭାବରେ ଦୋକାନକୁ ପ୍ରବେଶ କରି ସୁନା ଚେନ ଦେଖିବାକୁ ଚାହାଁନ୍ତି। ଦୋକାନ ମାଲିକ ସେମାନଙ୍କୁ ବିଭିନ୍ନ ଡିଜାଇନର ୧୨ଟି ସୁନା ଚେନ ଦେଖାଉଥିବା ସମୟରେ ଦୁଇ ଜଣ କୌଶଳରେ ଏକ ବକ୍ସ ନେଇ ଦୋକାନରୁ ଚମ୍ପଟ ମାରିଥିଲେ, ଦୋକାନ ମାଲିକ ତାଲିକା ପୁନଃ ଯାଞ୍ଚ ସମୟରେ ଏକ ବକ୍ସ ନ ଥିବା ଧ୍ୟାନ ଦେଇ ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣା ସତ୍ୟତା ନିଶ୍ଚିତ କରନ୍ତି। ସେହିପରି, ତୁରନ୍ତ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଘଟଣାର ଗୁରୁତ୍ୱ ଦେଖି ମକଦ୍ଦମା ନଂ. ୧୩୭/୨୫ ଅନୁଯାୟୀ ମାମଲା ରୁଜୁ କରି ଏସଆଇ ଦୁଷ୍ମନ୍ତ ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଥାନା ପକ୍ଷରୁ ଦୁର୍ବୃତ୍ତ ଦ୍ୱୟଙ୍କ ଶିଘ୍ର ଚିହ୍ନଟ ଓ ଗିରଫ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏପରି ଘଟଣା ଏକ ପ୍ରଶ୍ନ ଉଠାଉଛି—ଏପରି ଅଞ୍ଚଳ ଯେଉଁଠି ନିରାପତ୍ତା ଦୂରଦୂରନ୍ତକୁ ଦେଖାଯାଉନାହିଁ, ସେଠାରେ ଦିନ ଦହାଡେ ସୁନା ଲୁଟ ଘଟିପାରେ କିପରି? ସ୍ଥାନୀୟ ବ୍ୟବସାୟୀମାନେ ଏହା ପରେ ଆଶଙ୍କା ଓ ଭୟରେ ଅଛନ୍ତି।